ମନମୁଣ୍ଡା ମଣ୍ଡିରେ ଭିଜୁଛି ଶହଶହ ବସ୍ତା ରବିଧାନ

0 323

ବୌଦ୍ଧ: କଣ୍ଟାମାଳ ବ୍ଲକ ମନମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ବାସୁଦେବପାଲିସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କରାଯାଇଥିବା ରବି ଧାନ ମଣ୍ଡିରେ ଚାଷୀଙ୍କ ଶହଶହ ବସ୍ତା ଧାନ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳୁଛି । ଟୋକନ ପାଇ ଚାଷୀମାନେ ବିକ୍ରିପାଇଁ ମଣ୍ଡିକୁ ଧାନଆଣି ୮/୧୦ ଦିନ ହେଲା ପଡିରହିଥିଲେ ମଧ୍ୟ ଧାନମିଲର ଉଠାଉନଥିବାରୁ ଚାଷୀମାନେ ନାନାଦି ହଇରାଣ ହେଉଛନ୍ତି । ଶହଶହ ବସ୍ତା ଧାନରଖି ତା ଉପରେ ପାଲ ଘୋଡାଇ ଦିନରାତି ଜଗି ବସିଛନ୍ତି । ମିଲରମାନଙ୍କ ମର୍ଜିରେ ଧାନ ଉଠୁଥିବାରୁ ସମିତି କର୍ତ୍ତୃପକ୍ଷ ମଧ୍ୟ ଧାନ କେବେ ଉଠିବ ଚାଷୀମାନଙ୍କୁ ସେହି ପ୍ରତିଶ୍ରୁତି ଦେବାକୁ ଅକ୍ଷମ । ପ୍ରତିଦିନ ମିଲର ଟ୍ରକ ନପଠାଇବା ଏବଂ ଗୋଟିଏ ଛୋଟ ଟ୍ରକ ପଠାଉଥିବା ହେତୁ ମଣ୍ଡିରୁ ଅଧିକ ଧାନ ଖାଲି ହୋଇପାରୁନାହିଁ । ମୌସୁମୀ ଆସିଯାଇଥିବାରୁ ଓ ତୁହାକୁତୁହା ଝିପିଝିପି ବର୍ଷା ଲାଗିରହୁଥିବାରୁ ଚାଷୀ ନିଜ ବ୍ୟବସ୍ଥାରେ ପାଲ ଢାଙ୍କି ପଡିରହିଛି । ପ୍ରଶାସନର କୌଣସି ଅଙ୍କୁଶ ମିଲର ଉପରେ ରହୁନଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚାଷୀ ଅଭିଯୋଗ କଲେ ମଧ୍ୟ ସେମାନଙ୍କୁ କୌଣସି ଫରକ ପଡୁନଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ କିଛି ମିଲରଙ୍କ ଆବଶ୍ୟକ ଗୋଦାମ ଓ ଧାନ ରଖିବାକୁ ସୁରକ୍ଷିତ ସ୍ଥାନ ନଥିବାରୁ ଧାନଉଠାଇବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୁଏ ।
ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ରବି ଚାଷର ଧାନ ବିକିବାକୁ ଚାଷୀ ମଣ୍ଡିରେ ପଡିରହିବା ଦୁଃଖଦାୟକ । ଚାଷୀ ଧାନ ମଣ୍ଡିରୁ ଉଠାଇବା ପାଇଁ ମିଲରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାକୁ ଚାଷୀ ମହଲରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × 4 =