ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ

0 169

ସମ୍ବଲପୁର: ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ଘୋଷଣାନୁସାରେ ଏହି ବିଶାଳ ଜଳଭଣ୍ଡାରରୁ ପ୍ରଥମକରି ବନ୍ୟାଜଳ ନିଷ୍କାସନ ଗୁରୁବାର ଦିନ ଆରମ୍ଭ କରାଯାଉଛି । ଏଥ ପାଇଁ ମହାନଦୀ ତଟ ଓ ଏହାର ଆଖପାଖ ତଳିଆ ଅଞ୍ଚଳରେ ସମସ୍ତଙ୍କୁ ସତର୍କ କରାଇଦେବା ପାଇଁ ଜିଲ୍ଲାପ୍ରଶାସନ ଓ ରାଜସ୍ୱ ବିଭାଗୀୟ ଅଧିକାରୀଙ୍କୁ ସୂଚିତ କରାଯାଇଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ଆଠଟା ସମୟରେ ଏହାର ଜଳସ୍ତର ୬୧୬.୪୫ଫୁଟ ରେକର୍ଡ କରାଯାଇଛି ଓ ସେତେବେଳେ ଏହି ଜଳଭଣ୍ଡାର ଭିତରକୁ ୭୦.୩୭୨ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ୧୬.୧୪୭ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଥିଲା । ପ୍ରାୟ ୧୦ଦିନ ପୂର୍ବେ ଜୁନ ୧୫ ତାରିଖ ସକାଳ ୮ଟା ସମୟରେ ଏହାର ଜଳସ୍ତର ସର୍ବନିମ୍ନ ୬୦୭.୬୫ ଫୁଟ ରେକର୍ଡ କରାଯାଇଥିଲା ଓ ତାହା ପରଦିନ ଠାରୁ ନିରନ୍ତର ବର୍ଷା ଫଳରେ ଜଳସ୍ତର କ୍ରମେ ବଢିବାରେ ଲାଗିଥିଲା । ବିଗତ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ନିରନ୍ତର ବର୍ଷା ଯୋଗୁଁ ଏହି ଜଳଭଣ୍ଡାର ଜଳସ୍ତରରେ ପ୍ରାୟ ୮.୮୦ଫୁଟ ଅଭିବୃଦ୍ଧି ହୋଇଛି । ଇତିମଧ୍ୟରେ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ଏପରି ବଢିଲା ଓ ଆନୁଷଙ୍ଗିକ ପରିସ୍ଥିତିରୁ ଏଠାରୁ ଜଳ ନିଷ୍କାସନ ଜରୁରୀ ହୋଇପଡିଥିଲା । କିନ୍ତୁ ବିଗତ ଦୁଇଦିନ ହେଲା, ଉପରମୁଣ୍ଡରୁ ବହିଆସୁଥିବା ବନ୍ୟାଜଳର ପରିମାଣ ଓ ଜଳସ୍ତର ଅଭିବୃଦ୍ଧି ହାର ହ୍ରାସ ପାଇଛି, ତଥାପି ପୂର୍ବ ଘୋଷଣା ଅନୁସାରେ ଆସନ୍ତାକାଲି ଏବର୍ଷ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟାର ଅୟମାରମ୍ଭ ହେବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

12 + fifteen =