ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ

0 59

ପୁରୀ : ଆଜି ପଞ୍ଚୁକର ଦିତୀୟ ଦିବସ । ଆଜି ଶ୍ରୀମନ୍ଦିରରେ ବାଙ୍କଚୂଡା ବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଆବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି । ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତ ଅକ୍ରୁର ମଥୁରା ନେବା ପାଇଁ ଗୋପ ଆସିଥିଲେ, ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ପାଳିତ ହୋଇଆସୁଛି । ଏହି ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ଏକ ଛୋଟ ସ୍ୱର୍ଣ୍ଣ କୀରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ । ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ । ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୁବର୍ଣ୍ଣ କିଆରେ ଶୋଭିତ ହୁଏ । ଭୋଗ ମଣ୍ଡପ ଶେଷ ହେବାପରେ ଠାକୁରମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ ନିମିତ୍ତ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣ ମେଳା ଦର୍ଶନ ହେଇଥାଏ । ତେବେ ଗତକାଲି ଶ୍ରୀମନ୍ଦିର ଏସ୍‌ଓପି ଅନୁଯାୟୀ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ତେବେ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିଛି ।

hiranchal ad1
Leave A Reply

Your email address will not be published.

12 − three =