ଆରମ୍ଭ ହେଲା ବାହୁଡା଼ ପ୍ରସ୍ତୁତି:ଦକ୍ଷିଣ ମୋଡ଼ ହେଲା ରଥ

0 63

ପୁରୀ : ଘୋଷଯାତ୍ରାର ଷଷ୍ଠୀ ତିଥିରେ ଆରମ୍ଭ ହୋଇଛି ବାହୁଡା଼ ପ୍ରସ୍ତୁତି । ହେରା ପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ନନ୍ଦିଘୋଷ ରଥ ଭଙ୍ଗା ପରେ ଶ୍ରୀମନ୍ଦିରକୁ କଥା ରକ୍ଷା କରି ଫେରିବାପାଇଁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ । ଏଥିପାଇଁ ଷଷ୍ଠୀ ତିଥିରେ ତିନିରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦୁଆରେ ରଖାଯାଇଛି । ଏଥିପାଇଁ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ଧୂପ ଉଠିବା ପରେ ରଥକୁ ଆଜ୍ଞାମାଳ ବିଜେ କରିଥିଲା ।
ପ୍ରାୟ ୨ଟା ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଟଣା ଯାଇଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଘଣ୍ଟ ଘଣ୍ଟା ବାଦନ ମଧ୍ୟରେ ଆରକ୍ଷୀ ଓ ଶ୍ରଦ୍ଧାଳୁ ମାନେ ଦେବୀ ରଥକୁ ଟାଣି ଟାଣି ନାକଚଣା ଦୁଆରେ ଲଗାଇଥିଲେ ।
ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯାଇ ନାକଚଣା ଦୁଆରେ ଲଗାଯାଇଥିଲା । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ ବିଶାଲ ସିଂ ପ୍ରମୁଖ ଉପସ୍ଥିତ ରହି ରଥ ଟଣା କାର୍ଯ୍ୟ ତଦାରଖ କରିଥିଲେ । ବାହୁଡ଼ାଯାତ୍ରା ପାଇଁ ଏବେ ତିନିରଥ ନାକଚଣା ଦୁଆରେ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

17 − fourteen =