ପୁରୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ ପ୍ରତ୍ୟାହାର, ଦରଦାମ ବୃଦ୍ଧି, ପେଟ୍ରୋଲ ଡିଜେଲର ଦରଦାମ ବୃଦ୍ଧି ବିରୋଧରେ ଆଜି ଭାରତ ବନ୍ଦ ପାଳନ କରାଯାଉଛି । ବାମପନ୍ଥୀ ଦଳ, ଶ୍ରମିକ ସଂଗଠନ, କୃଷକ ସଂଗଠନ ଏବଂ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ଆଜି ଭାରତ ବନ୍ଦ ଡାକରାରରେ ଆଂଶିକ ପ୍ରଭାବ ପୁରୀରେ ଦେଖିବାକୁ ମିଳିଛି । ପୁରୀ କଚେରୀ ଛକରେ ସିଆଇଟିୟୁ, ସଂଯୁକ୍ତ କୃଷକ ମୋର୍ଚ୍ଚା, ବାମପନ୍ଥୀ ଓ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ କଂଗ୍ରେସ ଦଳ ବନ୍ଦ ଡାକରକୁ ସମର୍ଥନ କରିଥିଲେ ମଧ୍ୟ ପୁରୀରେ ସ୍ୱାଭାବିକ ଜୀବନଯାତ୍ରା ଚାଲୁ ରହିଛି । କେବଳ ଶରଧାବାଲି ବସଷ୍ଟାଣ୍ଡରେ ଆଜି ବସ ଚଳାଚଳ ବନ୍ଦ ରହିଥିବା ବେଳେ ରେଳଷ୍ଟେସନରେ ସକାଳୁ ରେଳସେବା ଚାଲୁ ରହିଛି । ଅନ୍ୟପକ୍ଷରେ ସହରରେ ଦୋକାନ ବଜାର ଖୋଲା ରହିଛି । ସେହିପରି ଅଟୋରିକ୍ସା, ଚାରିଚକିଆ, ଦୁଇଚକିଆ ଜାନ ମଧ୍ୟ ଚାଲୁରହିଛି । ସମୁଦ୍ରକୂଳରେ ମଧ୍ୟ ସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି ।