ଦଶପଲ୍ଲା : ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଓଡଗାଁ ବସ୍ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି ଦୁଇଜଣ ସାଙ୍ଗକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁଇଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କୁ ପ୍ରଥମେ ନୟାଗଡ଼ ଏବଂ ପରେ ଭୁବନେଶ୍ୱର, କଟକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଓଡ଼ଗାଁ ଥାନା ମଦନପୁର ଗ୍ରାମର ବ୍ରଜବନ୍ଧୁ ସାହୁଙ୍କ ପୁଅ ବିଶ୍ୱନାଥ ସାହୁ(୨୩) ଓ ରଙ୍ଗଣିପାଟଣା ଗ୍ରାମର ଉଦୟନାଥ ସାହୁଙ୍କ ପୁଅ ଟୁକୁନା ସାହୁ(୨୨) ଦୁହେଁ ରଙ୍ଗଣିପାଟଣା ଛକରେ ବସ୍କୁ ଅପେକ୍ଷା କରିଥିବା ବେଳେ ଭଂଜନଗର ପଟୁ ଏକ ଆମ୍ବୁଲାନ୍ସ ଗାଡ଼ିନଂ ଓଡ଼ି୦୫ବିବି ୨୫୪୨ ଦ୍ରୁତ ଗତିରେ ଆସି ଉଭୟ ସାଙ୍ଗକୁ ଧକ୍କା ଦେଇଥିଲା । ଫଳରେ ଦୁଇଜଣ ରକ୍ତ ଜୁଡୁବୁଡୁ ହୋଇ ରାସ୍ତା କଡରେ ପଡି ରହିଥିଲେ । ବିଶ୍ୱନାଥର ଦୁଇଗୋଡ଼ ଭାଙ୍ଗି ଯାଇଥିବା ବେଳେ ଟୁକୁନାର ଡ଼ାହାଣ ପଟ ଗୋଡ଼ ଚକା ମାଡ଼ି ଭାଙ୍ଗି ଯାଇଛି । ଏହା ସହିତ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ବିଶ୍ୱନାଥ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ଟୁକୁନା କଟକ ବଡ଼ ମେଡିକଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ୱନାଥର ଜେଜେ ବାପା ହରିହର ସାହୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।