ଦେବଗଡ: ଦେବଗଡ ବନଖଣ୍ଡ ବାରକୋଟ ବନାଂଚଳରେ ପୁଣି ହାତୀ ଆତଙ୍କ । ଠିଆନାଳ ଫରେଷ୍ଟ ସେକ୍ସନ ବୁଢାଖମଣ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ବୁଢାଖମଣ ଗ୍ରାମର ଧବଳ ନାୟକ (୪୮) ବୋଲି ଜଣାପଡିଛି । ଧବଳ ଆଜି ସକାଳୁ ଗାଁ ନିକଟ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ହାତୀ ତଳେ କଚାଡି ଦଳି ଦେଇଥିବା ଜଣାପଡିଛି । ଧବଳ ଆଜି ଦିନ ୧୨ ଟା ଯାଏଁ ମହୁଲ ନେଇ ଘରକୁ ଫେରିନଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା ଏବଂ ଜଙ୍ଗଲ ଭିତରେ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଜଙ୍ଗଲ ଭିତରୁ ଧବଳଙ୍କ ମୃତଦେହ ଠାବ ହୋଇଥିଲା । ତଳେ କଚାଡି ହାତୀ ଦଳି ଦେଇଥିବାରୁ ଘଟଣାସ୍ଥଳରେ ହିଁ ଧବଳଙ୍କ ମୃତ୍ୟୁ ଘଟିଥିଲା । ସୂଚନା ପାଇ ଅତିରିକ୍ତ ବନ ସଂରକ୍ଷିକା, ବାରକୋଟ ରେଞ୍ଜର ଏବଂ ବନବିଭାଗର ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବନବିଭାଗର ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି ।
