ବାଲିଗୁଡ଼ା:ଦାରିଙ୍ଗବାଡ଼ି ବ୍ଲକ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଠାରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବି.ଆର.ସି.ସି ତଥା ଏ. ବିଇଓ ସୁବାଶିନୀ ଦିଗାଳ, ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଚାରୁଶିଳା ମଲ୍ଲିକ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକ, ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିକ୍ଷକ ପ୍ରଶାନ୍ତ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବୋଝ ନ ଭାବି ସେମାନେ ସବୁ କ୍ଷେତ୍ରରେ ସକ୍ଷମ ତେଣୁ ସେମାନଙ୍କୁ ନିୟମିତ ସ୍କୁଲକୁ ପଠାଇବା ସହିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେମାନଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ୯୨ଜଣ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହିତ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଆଳୁ ଚାମଚ, ଚିତ୍ରାଙ୍କନ, ସଙ୍ଗୀତ, ମ୍ୟୁଜିକ ଚେୟାର ଓ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆଦି ପ୍ରତିଯୋଗିତା ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ୧୫ ଜଣ କୃତୀଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣପତ୍ର ସହିତ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାକୁ ଏ.ବିଇଓ ସୁବାଶିନୀ ଦିଗାଲ ଆୟୋଜନ କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ରଶ୍ମିତା ସେନାପତି ସହଯୋଗ କରିଥିଲେ ଶେଷରେ ଶିକ୍ଷକ ଶ୍ୟାମ ସୁନ୍ଦର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।