ସମ୍ବଲପୁର: ଲକ୍ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ମିଳୁଥିବା କୋହଳ ଅପରାଧୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ଯାହାକି ଗତ ଦୁଇ ଦିନରେ ତିନୋଟି ଛୁରାମାଡ଼ ଘଟଣାରୁ ସ୍ପଷ୍ଟ ହାଇଛି । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଗତକାଲି ସ୍ଥାନୀୟ ଅଇଁଠାପାଲି ଥାନା ଅଞ୍ଚଳରେ ଏକ ଛୁରାମାଡ଼ ଘଟଣାରେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହା ପୂର୍ବରୁ ଗତ ବୁଧବାର ଦିନ ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜରେ ଜଣେ ଟାଟା ଏସ୍ ବାହନ ଚାଳକଙ୍କୁ ଛୁରାମାନ ହୋଇଥିଲା । ଏହି ଦୁଇ ଘଟଣାରେ ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ପାରିନାହିଁ । ଗତକାଲିର ଘଟଣାରେ ନନ୍ଦପଡ଼ାର ସୌରଭ ନନ୍ଦ (୧୭)କୁ କ୍ଷେତରାଜପୁରର ମନଜିତ ସିଂହ ଫୋନ୍ ଯୋଗେ ଡାକିଥିଲା । ଉଭୟ ପୂର୍ବ ପରିଚିତ ଥିବାରୁ ପାଞ୍ଚଗଛିଆରେ ଭେଟ ହୋଇଥିଲେ ଓ ସେଠାରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ତୀବ୍ର ବଚସା ହୋଇଥିଲା । ବଚସା ଉଗ୍ରରୂପ ହେବାରୁ ମନଜିତ୍ ନିଜ ଛୁରୀରେ ସୌରଭକୁ ଆକ୍ରମଣ କରିଥିଲା । ସୌରଭର ପେଟରେ ଛୁରୀ ଭୁଶିଲା ପରେ ଟଣାଓଟରା ଯୋଗୁଁ ଛୁରୀଟି ଭାଙ୍ଗିଯାଇ ତାହାର ଖଣ୍ଡେ ପେଟ ଭିତରେ ରହିଗଲା । ସେଠାରୁ ତଳେ ପଡ଼ି ସୌରଭ ଛଟପଟ ହେଉଥିବା ଦେଖି ମନଜିତ୍ ଓ ତାହାର ସାଥି ସେଠାରୁ ଫେରାର ହୋଇଗଲେ । ଗୁରୁତର ଆହତ ଅବସ୍ଥାରେ ସୌରଭକୁ ପ୍ରଥମେ ଅଇଁଠାପାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ପରେ ବୁର୍ଲା ଭିମସାରକୁ ନିଆଯାଇଥିଲା । ସେଠାରେ ସେ ଚିକିତ୍ସାଧିନ ରହିଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ଧନୁପାଲି ଥାନା ଅନ୍ତର୍ଗତ ମୋତିଝରନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ଓ ପରେ ଛୁରାମାଡ଼ ହୋଇଥିଲା । ଏସବୁ ଘଟଣାରେ ପୁଲିସର ହାତ ଏପର୍ଯ୍ୟନ୍ତ ଖାଲି ରହିଥିବା ଜଣାପଡ଼ିଛି ।