ସମୁଦ୍ରରେ ମହାବାତ୍ୟା ରୂପ ନେଲା ଅମ୍ଫନ

0 140

ଭୁବନେଶ୍ୱର: ସାମୁଦ୍ରିକ ଝଡ ଅମ୍ପନ ସମୁଦ୍ର ମଧ୍ୟରେ ମହାବାତ୍ୟା(ସୁପର ସାଇକ୍ଲୋନ)ର ରୂପ ନେଇଛି । ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଆଡକୁ ୮ କି.ମି. ବେଗରେ ଗତି କରୁଥିବା ବେଳେ ବାଂଲାଦେଶର ହାତୀଆ ଦ୍ୱୀପପୁଞ୍ଜ ଓ ଓଡିଶା ସୀମାବର୍ତ୍ତୀ ଦିଘା ମଧ୍ୟବର୍ତ୍ତୀ ସ୍ଥାନରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଛି । ଏଣୁ ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ରାଜ୍ୟର ଗଜପତି ଜିଲ୍ଲାରୁ ଆରମ୍ଭ କରି ଉପକୂଳ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ଆରମ୍ଭ ହୋଇଯାଇଛି । ଏହି ସମୟରେ ୪୫ରୁ ୫୫ କି.ମି. ବେଗରେ ପବନ ବୋହୁଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସଂଧ୍ୟାରୁ ରାଜ୍ୟର ୫ଟି ଜିଲ୍ଲା ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ୭୫ରୁ ୯୫ କି.ମି. ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ସମ୍ଭାବନା ସୃଷ୍ଟି କରିବ । ସ୍ଥଳଭାଗ ମୁହାଁ ହୋଇଥିବା ସୁପର ସାଇକ୍ଲୋନ ଏବେ ସମୁଦ୍ର ମଧ୍ୟରେ ପବନର ବେଗ ୨୬୫ କି.ମି. ରହିଛି । ଅମ୍ଫନର ଏହି ଭୟଙ୍କର ରୂପ ଦେଖି ଭାରତୀୟ ପାଣିପାଗ ବିଭାଗ ଏହାର ଶକ୍ତି ଆକଳନ କରିଥିବା ବେଳେ ଓଡିଶା ଓ ପଶ୍ଚିମବଙ୍ଗ ଉପରେ ଏହାର ପ୍ରଭାବ ନେଇ ସତର୍କ କରାଇଛି । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପ୍ରଶାସନ ସହିତ ଆଲୋଚନା କରି ଜିରୋ କାଜୁଆଲିଟି ଅର୍ଥାତ୍ ଶୂନ୍ୟ ମୃତ୍ୟୁ ଉପରେ ଗୁରୁତ୍ୱ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ଅପରାହ୍ନରେ ସାମୁଦ୍ରିକ ଝଡ ଅମ୍ଫନ ଉପରେ ସମୀକ୍ଷା କରିଛନ୍ତି । ଅନ୍ୟ ପକ୍ଷରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମୁଦ୍ରିକ ଝଡ ଅମ୍ପନକୁ ନେଇ ସରକାରୀ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଗତ ୨୦ ବର୍ଷ ମଧ୍ୟରେ ବହୁ ବଡବଡ ମହାବାତ୍ୟା ଓ ବାତ୍ୟାର ସମ୍ମୁଖୀନ କରିଥିବାରୁ ଏହି ବାତ୍ୟା ପାଇଁ ମଧ୍ୟ ସରକାରୀ କଳକୁ ସଂପୂର୍ଣ୍ଣ ପ୍ରସ୍ତୁତ କରିଛନ୍ତି । ସାମୁଦ୍ରିକ ବାତ୍ୟା ଅମ୍ଫନ ପ୍ରଭାବରେ ଉତ୍ତର ଓଡିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି । କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇଥିବା ଅମ୍ଫନ ଏବେ ପାରାଦ୍ୱୀପଠାରୁ ଦକ୍ଷିଣକୁ ୭୮୦ କି.ମି. ଦୂରରେ ସ୍ଥଳଭାଗ ଆଡକୁ ଗତି କରୁଛି । ଏହାର ଗତିର ପରିମାଣ ଘଣ୍ଟା ପ୍ରତି ୧୩ କି.ମି. ରହିଛି । ଶ୍ରୀ ଜେନା କହିଛନ୍ତି ଯେ, ଆସନ୍ତାକାଲି ସକାଳ ଯାଏଁ ଏହାର ପ୍ରକୋପ ରହିବ । ଆଗକୁ ବଢିବା ପରେ ଧୀରେ ଧୀରେ ଦୁର୍ବଳ ହେବ । ୨୦ ତାରିଖ ଅପରାହ୍ନରେ ଏହା ଦିଘା-ହାତୀଆ ମଝିରେ ଉପକୂଳ ଅତିକ୍ରମ କରିବ । କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଛୁଇଁବ ଏହାର ସ୍ପଷ୍ଟଚିତ୍ର ଏବେ ମଧ୍ୟ ମିଳୁନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନ୍‌ଡିଆର୍‌ଏଫ୍ , ଓଡ୍ରାଫ୍‌, ଅଗ୍ନିଶମ ବାହିନୀକୁ ଜାଗତିଆ କରି ଜିରୋ କାଜୁଆଲିଟି ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ସହିତ ରାସ୍ତାଘାଟ ପରିଷ୍କାର, ବିଦ୍ୟୁତ ବ୍ୟାଘତ ହେଲେ ପୁନଃ ବିତରଣ, ଶୁଖିଲା ଖାଦ୍ୟର ବିତରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଜନସାଧାରଣ ଆତଙ୍କିତ ନ ହେବା ପାଇଁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two + nine =