ପୁଣି କଡାକଡି ହେଲା କରୋନା କଟକଣା, ମାସ୍କ ନ ପିନ୍ଧିଲେ ଜରିମାନା

0 134

ଭୁବନେଶ୍ୱର: ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’କୁ ନେଇ ଭୟ ବଢିବା ପରେ କରୋନା ରୋକିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ଏମିତି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରରୁ ଏସ୍‌ଓପି ବା ମାର୍ଗଦର୍ଶିକା ଆସିବା ପରେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଜିଲ୍ଲାପାଳ ଓ ମ୍ୟୁନସିପାଲ କମିଶନରଙ୍କୁ କହିଛନ୍ତି, ଟେଷ୍ଟ, ଟ୍ରାକିଂ, ଟ୍ରିଟ୍‌ମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଅ । ଜିଲ୍ଲାରେ ଅଧିକ ନମୁନା ସଂଗ୍ରହ କରିବାକୁ ହେବ । କରୋନା ଚିହ୍ନଟ ହେଲେ ଯାହା ପଦକ୍ଷେପ ନେବା କଥା ନିଆଯିବା ଦରକାର । କରୋନା କଟକଣା ଯେମିତି ପାଳନ କରାଯିବ, ସେ ପଦକ୍ଷେପ ନିଆଯିବ । ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ହଷ୍ଟେଲ କିମ୍ବା ଅଧିକ ଲୋକ ଏକାଠି ବା ଜମା ହେଉଥିବା ସ୍ଥାନ ଉପରେ ନଜର ରଖିବାକୁ କୁହାଯାଇଛି । ଏହା ହେଲେ ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିବ ।
ଏବେ ୟୁରୋପ, ଚାଇନା, ସିଙ୍ଗାପୁର ଓ ଋଷିଆରେ ଅଧିକ କେସ୍‌ ଚିହ୍ନଟ ହେଉଛି । ଏ ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ହେବ । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ୍‌ ହସ୍ପିଟାଲ ବେଡ୍‌ ସମ୍ପର୍କରେ ତଦାରଖ କରିବେ । କେତେ ବେଡ୍‌ ଆଉ କେତେ ଆଇସିୟୁ ବେଡ୍‌ ଭର୍ତ୍ତି ରହିଛି, ଏହା ଉପରେ ନଜର ରଖିବାକୁ ହେବ । କରୋନା କବଚ ଟିକାକରଣକୁ ବ୍ୟାପକ କରିବାକୁ କୁହାଯାଇଛି ।
ସମ୍ଭାବ୍ୟ ତୃତୀୟ ଲହରିର ମୁକାବିଲା କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୈଠକ କରିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂରେ ଶ୍ରୀ ମହାପାତ୍ର କହିଛନ୍ତି, ଏବେ ସ୍କୁଲ ଓ କଲେଜ ଖୋଲିଲାଣି । ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବଢିଛି । ତେଣୁ କରୋନା ମୁକାବିଲା ପାଇଁ ଆମକୁ ଅଧିକ ସଜାଗ ଆଉ କ୍ରିୟାଶୀଳ ରହିବାକୁ ହେବ ।
ବିଡିଓ, ସରପଞ୍ଚ, ୱାର୍ଡ ମେମ୍ବର, ଅଙ୍ଗନବାଡି କର୍ମୀ, ପଞ୍ଚାୟତସ୍ତରୀୟ କର୍ମଚାରୀ ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପର୍କରେ ସୂଚନା ଦେବେ । ଠିକ ସୂଚନା ସଂଗ୍ରହ କରିବା ସହ କେଉଁଠି କୋଭିଡ୍‌ ସଂକ୍ରମଣର ଲକ୍ଷଣ ଜଣାପଡିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘରକୁ ଘର ବୁଲି ଟିକାଦାନକୁ ଅଧିକ ତ୍ୱରାନ୍ୱିତ କରିବାକୁ ଓ ଗ୍ରାମାଞ୍ଚଳକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

1 × 4 =