ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

0 63

ଭୁବନେଶ୍ୱର:- କୋଭିଡ୍‌-୧୯ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସୁଦୂରପ୍ରସାରୀ ଓ ପ୍ରଭାବଶାଳୀ ରହିଥିଲା । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସରେ “ମହାମାରୀ ମସୟରେ ଗଣମାଧ୍ୟମ : ଏକ ନୂତନ ଆହ୍ୱାନ’’ ବିଷୟବସ୍ତୁ ଉପରେ ଆଲୋଚନାରେ ବହୁ ବିଶିଷ୍ଟ ଅତିଥିମାନେ ଅଂଶଗ୍ରହଣ କରି ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।
ସଭା ପ୍ରାରମ୍ଭରେ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ ବାର୍ତା ଭିଡିଓ ମାଧ୍ୟମରେ ପ୍ରସାରିତ ହୋଇଥିଲା । ବାର୍ତାରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସାରା ପୃଥିବୀ ଏହି ଅଭାବନୀୟ କୋଭିଡ୍‌ ମହାମାରୀକୁ ସାମ୍ନା କରୁଥିବାବେଳେ ନିର୍ଭରଯୋଗ୍ୟ ଓ ବିଶ୍ୱସନୀୟ ସମ୍ବାଦ ପରିବେଷଣ କ୍ରମେ ସମୃଦ୍ଧ ସମାଜ ଗଠନରେ ସାମ୍ବାଦିକମାନଙ୍କ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ ।
ଉଭୟ ମଂଚ ଏବଂ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କ ଭିଡିଓ ବାର୍ତାରେ କହିଥିଲେ ଯେ ପ୍ରେସ୍‌ ହେଉଛି ଲୋକତନ୍ତ୍ରର ମୂଳଦୁଆ । ପ୍ରାୟ ଦେଢ଼ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ମୁଦ୍ରିତ ଗଣମାଧ୍ୟମ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନେ ଅତି କଠିନ ସମୟରେ ନିଜ ଜୀବନ ଓ ପରିବାରକୁ ପଛରେ ପକାଇ ଖବର ପରିବେଷଣ ପରି ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ନିଜର କର୍ତବ୍ୟ ସମ୍ପାଦନ କରୁଥିବା ବିଷୟକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରଶଂସା କରିଥିଲେ ।
ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ନିଜର ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୮୧୨୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି ଓ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଅନ୍ତର୍ଭୁକ୍ତ କରାଯାଇଛି । କରୋନା ସମୟରେ ପ୍ରାଣବଳି ଦେଇଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥ ପ୍ରଦାନ କରାଯାଇଛି । ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦକ ଡ. ଲେନିନ୍‌ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଗଣମାଧ୍ୟମର ପ୍ରତିନିଧିମାନେ କୋଭିଡ୍‌ ମହାମାରୀର ଆହ୍ୱାନକୁ ସାମ୍ନା କରି ଅତି ସ୍ପର୍ଶକାତର ପ୍ରସଙ୍ଗଗୁଡ଼ିକୁ ଲୋକଲୋଚନକୁ ଆଣି ପାରିଥିଲେ । ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟବକ୍ତା ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଦେବୀଲାଲ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମର ପ୍ରାସଙ୍ଗିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ କୋଭିଡ୍‌ ମହାମାରୀ ସମୟରେ ସମ୍ବାଦ ପରିବେଷଣ ଏକ ଆହ୍ୱାନ ଥିଲା । ଏହି ଆହ୍ୱାନକୁ ସମୁଚିତ ଉପାୟରେ ମୁକାବିଲା କରି ସାମ୍ବାଦିକମାନେ ନିଜର ବୃତିଗତ ପରାକାଷ୍ଠା ଦେଖାଇ ପାରିଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ମହାମାରୀ ସମୟରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

six − 2 =