ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ପୋଲିସ ଏକ ଚାଉଳ ବୋଝେଇ ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବେଲପଡା ବ୍ଳକ ଅନ୍ତର୍ଗତ ସଲଣ୍ଡି ପଞ୍ଚାୟତ ଅଧୀନସ୍ଥ ଉଡିଙ୍ଗ ଓ ଲଥାକେନ୍ଦ ମଝିରେ ଥିବା ଶ୍ୟାମ ଜୀ ମିଲକୁ ରାତି ୨ଟାରେ ଏକ ଦଶଚକିଆ ଟ୍ରକ ନମ୍ବର (ଓ ଆର୍ ୧୪ଏସ୍ ୩୨୦୨) ରାଉରକେଲାରୁ ଆସୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବେଲପଡା ଥାନା ଅଧିକାରୀ ବୁଳୁ ମୁଣ୍ଡା ଚଢ଼ାଉ କରି ଥାନାକୁ ଆଣିଥିଲେ ଓ ହରିନ୍ଦ୍ର ଯାଦବଙ୍କ ପୁଅ ତଥା ଡ୍ରାଇଭର ସୁରେଶ ଯାଦବଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ସେହି ଟ୍ରକ୍ ଭିତରେ ୫୦ କେଜି ଓଜନ ର ୫୦୦ ବସ୍ତା ଚାଉଳ ଥିବା ଜଣାପଡିଛି । ଏଠି ପ୍ରଶ୍ନ ଉଠୁଛି ଯେ ଗତ ବର୍ଷ ବେଲପଡା ଅଞ୍ଚଳରେ ବହୁତ ପରିମାଣରେ ଧାନ ଫସଲ ହୋଇଥିଲା ଏବଂ ଧାନ ବିକ୍ରି ନ ହୋଇ କମ ମୂଲ୍ୟରେ ବିକ୍ରି କରିଥିଲେ । କିନ୍ତୁ କେଉଁ କାରଣରୁ ମିଲର୍ସ ଅନ୍ୟ ସ୍ଥାନରୁ ଚାଉଳ ଆଣୁଛନ୍ତି ତାହା ସନ୍ଦେହ ଜାତ ହେଉଛି । ମାମଲା ରଫାଦଫା କରିବା ପାଇଁ ଶ୍ୟାମ ଜୀ ମିଲ ମାଲିକ ବେଲପଡା ଥାନା କୁ ଆସିଥିଲେ । କିନ୍ତୁ କାଗଜପତ୍ର ଠିକ୍ ଭାବରେ ଦେଖାଇ ନ ଥିବାରୁ ପୁଣି ଚାଲିଯାଇଥିଲେ ।ଏବେ ଟ୍ରକକୁ ଜବତ କରି ଡ୍ରାଇଭର ଥାନାରେ ଅଟକ ଥିବା ଥାନା ଅଧିକାରୀ ବୁଳୁ ମୁଣ୍ଡା ସୂଚନା ଦେଇଛନ୍ତି । ଥାନା ଅଧିକାରୀ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।