ବୌଦ୍ଧ: ବୌଦ୍ଧଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩ଗୋଟି ଠିପିବନ୍ଦ ବିଦେଶୀ ମଦଦୋକାନ ଓ ଗୋଟିଏ ବାର୍ ଥିବାବେଳେ ସରକାର ଆଉ ୪ଗୋଟି ଠିପିବନ୍ଦ ବିଦେଶୀ ମଦଦୋକାନ ଖୋଲିବାପାଇଁ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି । ଜିଲ୍ଲାସ୍ତରରୁ ସରକାରଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ନୂତନ ପ୍ରସ୍ତାବିତ ମଦ ଦୋକାନକୁ ନେଇ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ମଦଦୋକାନ ଖୋଲିବାର ପ୍ରସ୍ତାବରେ ଯେଉଁ ଉଦ୍ଦେଶ୍ୟ ଦର୍ଶାଯାଇଛି ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ୧୦ କି.ମି ପରିଧି ଭିତରେ ମଦଦୋକାନ ନଥିବାରୁ ହରଭଙ୍ଗା ବ୍ଲକର ଧଳପୁର ଠାରେ, ଆଗକୁ ରେଳଷ୍ଟେସନ ହେବାକୁ ଥିବାରୁ ବନ୍ଧାପଥର ଗ୍ରାମପଞ୍ଚାୟତର ଗୁଡପଡାଠାରେ, ୧୦କି.ମି ମଧ୍ୟରେ ମଦ ଦୋକାନ ନଥିବାରୁ କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ଠାରେ ଓ ୧୫କି.ମି ପରିଧି ଭିତରେ ମଦଦୋକାନ ନଥିବାରୁ ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ପଲସପାଟ ନିକଟରେ ତୁରନ୍ତ ମଦଦୋକାନ ଖୋଲିବାକୁ ଅବକାରୀ ବିଭାଗ ପ୍ରସ୍ତାବ ଦେଇଛି । ଏ ତଥ୍ୟ ଜନସାଧାରଣରେ ପ୍ରଘଟ ହେବାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାସହ ପ୍ରସ୍ତାବିତ ନୂତନ ବିଦେଶୀ ମଦଦୋକାନ ଖୋଲାଗଲେ ଜନଆନ୍ଦୋଳନ କରାଯିବାକୁ ବିଭିନ୍ନ ମଦବିରୋଧୀ ସଂଗଠନ ସଜବାଜ ହେଉଥିବା ଜଣାପଡିଛି ।