ବଡରମା ଅଭୟାରଣ୍ୟ ରେ କର୍ଲାପତରିଆ ବାଘର ମୃତଦେହ ଠାବ :ମୃତ୍ୟୁର କାରଣ ଅସ୍ପଷ୍ଟ

0 81

ସମ୍ବଲପୁର: ଏହି ଜିଲ୍ଲାର ବାମରା ବନ୍ଯପ୍ରାଣୀ ଡିଭିଜନ ଅନ୍ତର୍ଗତ ବଡରମା ଅଭୟାରଣ୍ୟର କ୍ଯାମ୍ପ ୭ ଅଞ୍ଚଳରେ ଏକ ଅଣ୍ଡିରା କର୍ଲାପତରିଆ ବାଘର ମୃତଦେହ ଠାବ କରାଯାଇଛି ଓ ବାଘଟି ଏକ ପଥରଗଦା ମଧ୍ୟରେ ଶୋଇଥିବା ସମୟ ରେ ମରିଥିବା ଜଣାପଡୁଛି । ଏହି ଅଭୟାରଣ୍ୟ ରେ ତିନୋଟି କର୍ଲାପତରିଆ ବାଘ ରହୁ ଥିଲେ ଓ ସେମାନଙ୍କ ମଧ୍ୟରୁ ଏହି ଗୋଟିକ ମରିଗଲା ପରେ ଆଉ ଦୁଇଟି ଜୀବିତ ରହିଛନ୍ତି ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ । ଏବିଷୟରେ ଖବର ଶୁଣି ବାମରା ବନଖଣ୍ଡ ଅଧିକାରୀ ନୃସିଂହ ଚରଣ ମିଶ୍ର, ଆରସିସିଏଫ ଚିତ୍ତରଞ୍ଜନ ମିଶ୍ର, ଏସିଏଫ ଯଦୁମଣି କେର୍କେଟା ଓ ବଡରମା ପ୍ରଭାରୀ ରେଞ୍ଜର ବିଶ୍ବନାଥ ମେହେର ଆଦି ସେଠାରେ ପହଞ୍ଚି ଘଟଣାସ୍ଥଳର ଅଧ୍ଯୟନ କରିଥିଲେ । ବାଘର ମୃତ ଦେହରେ କିଛି କ୍ଷତଚିହ୍ନ ନ ଥିବା ଓ ଆନୁସଙ୍ଗିକ ପରିସ୍ଥିତି ଅନୁଧ୍ୟାନ କଲା ପରେ ଅନୁମାନ କରା ଯାଉଛି ଯେ ବୃଦ୍ଧାବସ୍ଥା ଯୋଗୁଁ ତାହାର ମୃତ୍ୟୁ ହୋଇ ଥାଇପାରେ । ଏହା ସହିତ ଜମନକିରା ପ୍ରାଣୀ ଚିକିତ୍ସକ ଡା ଶାରଦା ସିଂହ ଏହି ପ୍ରାୟ ଚାରିଦିନର ମୃତଦେହ ବ୍ଯବଚ୍ଛେଦକରି ଅନୁଧ୍ୟାନ କଲା ପରେ ଜଣାଇଛନ୍ତି ସେଥିରେ କୌଣସି କ୍ଷତଚିହ୍ନ ଓ ବିଷ ପ୍ରଭାବର ପ୍ରମାଣ ମିଳି ନଥିଲା ଏଣୁ ମୃତ୍ୟୁର କିଛି ଠୋସ କାରଣ ଜଣାପଡି ନାହିଁ । ପୁଣି ବଡରମା ଅଭୟାରଣ୍ୟ ଅଞ୍ଚଳରେ ଅନଧିକୃତ ଶିକାରୀଙ୍କ ଦୌରାତ୍ମ୍ଯ ଯୋଗୁଁ ସେଠାରେ ବନ୍ଯପ୍ରାଣୀ ଙ୍କ ସୁରକ୍ଷା ଉପରେ ସବୁବେଳେ ପ୍ରଶ୍ନବାଚୀ ଲାଗିରହିଛି । ଏହି ଘଟଣା ଘଟିବାର ପ୍ରାୟ ୬- ୭ ଦିନପରେ ଏହା ଲୋକଲୋଚନ କୁ ଆସିଥିବାରୁ ଏହାସହିତ ଅନେକ ଅସମାହିତ ପ୍ରଶ୍ନ ଲାଗି ରହିବା ସ୍ବାଭାବିକ ବୋଲି କୁହାଯାଉଛି । ଏଣୁ ଏହାର ବିଧିବଦ୍ଧ ତଦନ୍ତ ଦାବି କରାଯାଉଛି ।

hiranchal ad1
Leave A Reply

Your email address will not be published.

2 × 1 =