ଏଆର୍‍ଆଇଆଇଏ ର୍ୟାଙ୍କିଂ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍‍

0 84

ଭୁବନେଶ୍ୱର: ସୃଜନ କ୍ଷେତ୍ରରେ କିଟ୍‍କୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ର୍ୟାଙ୍କିଂ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ସ ଅନ୍‍ ଇନୋଭେସେନ୍‍ ଆଚିଭ୍‍ମେଣ୍ଟ୍‍ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ବିବେଚିତ ହୋଇଛି । ମଙ୍ଗଳବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଭରଚ୍ୟୁଆଲ୍‍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ ଏହା ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ରମେଶ ପୋଖରିୟାଲ୍‍ ନିଶଙ୍କ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସାମାରାଓ ଧୋତ୍ରେ, ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନୀଲ୍‍ ସହସ୍ରବୁଦେ୍ଧ, କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ ଖେରେ ପ୍ରମୁଖ ଉପସ୍ଥିତ ଥିଲେ । ଏହି ର୍ୟାଙ୍କିଙ୍ଗର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚେନ୍ନାଇର ଏସ୍‍ଆର୍‍ଏମ ବିଶ୍ୱବିଦ୍ୟାଳୟ ଓ ଭେଲୋର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି (ଭିଆଇଟି) ରହିଛନ୍ତି । ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଏବଂ ଅଧ୍ୟାପକମାନଙ୍କ ମଧ୍ୟରେ ସୃଜନ ଓ ଔଦ୍ୟୋଗିକ ବିକାଶ ସଂପର୍କିତ ମାନଦଣ୍ଡକୁ ଭିତ୍ତିକରି ଭାରତ ସରକାର ଏହି ର୍ୟାଙ୍କିଙ୍ଗ ପ୍ରଦାନ କରିଥାନ୍ତି । ସୂଚନାଯୋଗ୍ୟ, ୨୦୧୯ରେ କିଟ୍‍ ଏହି ର୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । କିଟ୍‍ ସର୍ବଦା ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଗବେଷଣା ଓ ଔଦ୍ୟୋଗିକ କ୍ଷେତ୍ରରେ ସମାନ ଯତ୍ନଶୀଳ ରହି ଆସିଛି । କିଟ୍‍ ତାର ଗବେଷଣା ଓ ଔଦ୍ୟୋଗିକ କେନ୍ଦ୍ର, ଅତ୍ୟାଧୁନିକ ପରୀକ୍ଷାଗାର, ଉକ୍ରର୍ଷତା କେନ୍ଦ୍ର, ଶିଳ୍ପ ଓ ଆନ୍ତର୍ଜାତିକ ଅନୁଷ୍ଠାନ ସହ ସହବନ୍ଧନ ଯୋଗୁଁ ଏହି ର୍ୟାଙ୍କିଙ୍ଗରେ କିଟ୍‍ ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ବିବେଚିତ ହେବାର ଗୌରବ ଅର୍ଜନ କରିଛି । ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କିଟ୍‍ର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପିକା, ଛାତ୍ରଛାତ୍ରୀ, ଅଭିଭାବକ, କର୍ମଚାରୀମାନେ ଧନ୍ୟବାଦ ଜଣାଇଛନ୍ତି । ଗବେଷଣା ଓ ସୃଜନ କ୍ଷେତ୍ରରେ କିଟ୍‍ର ପ୍ରୟାସକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ସ୍ୱୀକୃତି ପ୍ରଦାନ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପୋଖରିଆଲ୍‍ଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =