ବୌଦ୍ଧରେ ରଥଯାତ୍ରା ହେବ ତ ! ଆଶା ଓ ଆଶଙ୍କା ମଧ୍ୟରେ ରଥ ମରାମତି ଆରମ୍ଭ

0 694

ବୌଦ୍ଧ:- ପ୍ରାଚୀନ ଗଡଜାତ ରାଜ୍ୟ ବୌଦ୍ଧର ରାଜଧାନୀ ବୌଦ୍ଧ ସହରରେ ୪ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଜୁଡା ସମୟରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସିଛି । ଦେଶ ସ୍ୱାଧୀନତା ପରେ ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳିତ ବୌଦ୍ଧସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଚଳିତବର୍ଷ କରୋନାପାଇଁ ଅନୁଷ୍ଠିତ ହେବ କି ନାହିଁ ଦ୍ୱନ୍ଦ୍ୱରେ ରହିଛି । ବୌଦ୍ଧର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ରଥ ମରାମତି କାମ ୩ଦିନ ତଳେ ଆରମ୍ଭ କରାଇଥିଲେ ମଧ୍ୟ ରଥଯାତ୍ରା ହେବ କି ନାହିଁ ସେ ସଂପର୍କରେ କୌଣସି ନିଷ୍ପତ୍ତି ନେଇନଥିବା ଜଣାପଡିଛି । ରଥଯାତ୍ରା ହେବାକୁ ସପ୍ତାହରୁ କମ୍ ସମୟ ଥିବାବେଳେ ଦିନେ ଦୁଇଦିନ ଭିତରେ ଜିଲ୍ଲା ପ୍ରଶାସନ ଏ ସଂପର୍କରେ ଚୁଡାନ୍ତ ନିଷ୍ପତ୍ତି ନେବ ବୋଲି ଜନସାଧାରଣ ଆଶା କରୁଛନ୍ତି ।

hiring


ବୌଦ୍ଧକୁ ରଥଯାତ୍ରା ଦେଖିବାପାଇଁ ବୌଦ୍ଧଜିଲ୍ଲାର ଜନସାଧାରଣଙ୍କ ସମେତ ପଡୋଶୀ ସୋନପୁର, ଆଠମଲ୍ଲିକ, ରେଢାଖୋଲ ଓ କନ୍ଧମାଳ ଜିଲ୍ଲାର ଅନେକ ଭକ୍ତ ଆସିଥାନ୍ତି । ଲକ୍ଷାଧିକ ଲୋକଙ୍କ ସମାଗମ ରଥ ଓ ବାହୁଡା ଯାତ୍ରା ଦିନ ବୌଦ୍ଧରେ ସମାଗମ ହୋଇଥାଏ । ମାଉସୀ ମା ମନ୍ଦିରରେ ଅନୁଷ୍ଠିତ ହେଉଥିବା ଦଶାବତାର ଦେଖିବାପାଇଁ ମଧ୍ୟ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ରଥଯାତ୍ରା ଅନୁଷ୍ଠିତ ହେଲେ ସାମାଜିକ ଦୂରତା ରକ୍ଷାକରି କୋଭିଡ -୧୯ ମାର୍ଗଦର୍ଶୀକା ଅନୁପାଳନ କରିବା କେବେ ମଧ୍ୟ ସମ୍ଭବ ହେବନାହିଁ । ଲୋକେ ସ୍ୱତଃପ୍ରବୃତ୍ତ ଭାବରେ ଠାକୁରଙ୍କର ଦର୍ଶନ ପାଇଁ ଆସିବେ । ଭିଡ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟିକରିବ । ପୂର୍ବରୁ ଯେତେକ କରୋନା ରୋଗୀଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା ସମସ୍ତେ କ୍ୱାରେଣ୍ଟାଇନରେ ଥିଲେ । ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଞ୍ଚଳରୁ ଲୋକାଲରୁ ଜଣେ ମହିଳା ସଂକ୍ରମିତ ହେବାପରେ ଜିଲ୍ଲା ପ୍ରଶାସନ ଚିନ୍ତାରେ । ସଂକ୍ରମିତଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ୱାବ ରିପୋର୍ଟ ଏଯାଏଁ ଆସିନାହିଁ । ଯଦି ରିପୋର୍ଟ କିଛି ପଜିଟିଭ ଆସେ ତେବେ ରଥଯାତ୍ରା କରାଇବାକୁ ପ୍ରଶାସନ ଚାହିଁବ ନାହିଁ । ନେଗେଟିଭ ଆସିଲେ ମଧ୍ୟ ପ୍ରଶାସନ ରଥଯାତ୍ରା କରାଇ ଏତେବଡ ରିସ୍କ ନେବାକୁ କେବେ ମଧ୍ୟ ଚାହିଁବ ନାହିଁ ବୋଲି ଜନସାଧାରଣରେ ଆଶଙ୍କା ପ୍ରକାଶ ପାଉଛି ।


ବୌଦ୍ଧସହର ସମେତ ଜିଲ୍ଲାରେ ୭୦ଟି ଉର୍ଦ୍ଧ୍ୱ ଗ୍ରାମରେ ରଥଯାତ୍ରା ହୋଇଥାଏ । ମନମୁଣ୍ଡା ଭଳି ଗ୍ରାମରେ ୩ଦିନ ରଥଯାତ୍ରା ଓ ରଥଟଣା ହୁଏ । ମନମୁଣ୍ଡା, ଦହ୍ୟା, ବାଉଁଶୁଣୀ ଛକ , ଅଁଳାପାଲି, ସାହାଜପାଲ, ବୌଦ୍ଧସହରର ବୁଟୁପାଲି, ପୁରୁଣାକଟକ, ଚାରିଛକ ଆଦିସ୍ଥାନରେ ଜାତୀୟ ରାଜପଥ ୫୭ ଉପରେ ରଥଟଣା ହୋଇଥାଏ । ଟ୍ରାଫିକ ପରିଚାଳନା ଓ ଆଇନ ଶୃଙ୍ଖଳା ପରିସ୍ଥିତି କୋଭିଡ-୧୯ ଆଧାରରେ କରିବା ପ୍ରଶାସନ ପାଇଁ ଆଦୌ ସମ୍ଭବ ନୁହେଁ । ବୌଦ୍ଧସହର ରଥଯାତ୍ରା ଉପରେ ସମସ୍ତଙ୍କର ନଜର ରହିଛି । ବୌଦ୍ଧରେ ରଥଯାତ୍ରା ହେଲେ ଜିଲ୍ଲାର କୋଣେ ଅନୁକୋଣେ ଥିବା ସମସ୍ତ ମନ୍ଦିରରେ ରଥଯାତ୍ରା ଆୟୋଜିତ ହେବ । ଏପରିସ୍ଥଳେ ପ୍ରଶାସନ କଣ ନିଷ୍ପତ୍ତି ନେଉଛି ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆଶା ଓ ଆଶଙ୍କା ମଧ୍ୟରେ । ଏ ନିଷ୍ପତ୍ତି ନେତ୍ରୋତ୍ସବର ପୂର୍ବରୁ ପ୍ରଶାସନକୁ ନେବାକୁ ହିଁ ପଡିବ ।

hiranchal ad1
Leave A Reply

Your email address will not be published.

2 × 1 =