ଦଶପଲ୍ଲା : ଓଡ଼ଗାଁ ତହସିଲଦାର୍ ଆଜି କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଠିଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଲାଗିରହିଥିବା ୮ ଡ଼ିସିମିଲ ଜବରଦଖଲ ସରକାରୀ ଜାଗାକୁ ଉଚ୍ଛେଦ କରିଛନ୍ତି । ସରକାରୀ ନିତିନିୟମକୁ ବେଖାତିର କରି ଦୀର୍ଘଦିନ ଧରି ଉକ୍ତ ଗ୍ରାମର କିଛି ମୁଷ୍ଠିମେୟ ଲୋକ ଏହି ମୂଲ୍ୟବାନ ଜାଗାକୁ ଜବରଦଖଲ କରିରଖିଥିଲେ । ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ଜାଗାକୁ ସରକାରଙ୍କ ତରଫରୁ କୁରାଳ ଗ୍ରାମପଞ୍ଚାୟତର ଭୂମିହୀନ ଲୋକଙ୍କୁ ବସୁନ୍ଧରା ଯୋଜନା ଜରିଆରେ ଯୋଗାଇ ଦିଆଯାଇଥିଲେ ସୁଦ୍ଧା ଜବରଦଖଲ କାରଣରୁ ଉକ୍ତ ଜାଗାକୁ ହିତାଧିକାରୀମାନେ ପାଇବାରୁ ବଞ୍ଚିତ ହେଉଥିଲେ । ଆଜି ପ୍ରଶାସନ ପକ୍ଷରୁ ଏହି ସବୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, କୋମଣ୍ଡ ରାଜସ୍ୱ ନିରୀକ୍ଷକ ସୁଧୀର ପରିଡା ଏବଂ ଓଡ଼ଗାଁ ପୁଲିସ ଉପସ୍ଥିତିରେ ଉକ୍ତ ଜବରଦଖଲରେ ଥିବା ଗୋଟିଏ ଘର ଏବଂ ଏକ ଖଳାକୁ ଉଚ୍ଛେଦ କରାଯାଇଛି । ତହସିଲଦାରଙ୍କ ଏହି ପଦକ୍ଷେପକୁ ଅଂଚଳବାସୀ ସ୍ୱାଗତ କରିଛନ୍ତି ।