ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଗାଁ

0 250

ଦଶପଲ୍ଲା : ଗ୍ରାମଠାରୁ ୫ କିଲୋମିଟର ଦୂରରେ ଲାଗିଛି ସ୍ୱଚ୍ଛ ମଳମୁକ୍ତ ଗ୍ରାମର ଫଳକ । ହେଲେ ଗାଁ ରେ ନାହିଁ, ଗୋଟିଏ ହେଲେ ପାଇଖାନା । ଏହି ଯୋଜନା ବିଷୟରେ ଗ୍ରାମବାସୀ ମଧ୍ୟ ଅବଗତ ନାହାନ୍ତି । ଏହି ଗାଁ ଗୁଡିକ ହେଉଛି, ଦଶପଲ୍ଲା ବ୍ଲକ୍‌ର ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାଡି ଗ୍ରାମ ତାବଡା, ପାନାବାରୀ ଓ ଆଶ୍ରଡା । ଟାକରା ଠାରୁ ପ୍ରାୟ ୯ ରୁ ୧୫ କିଲୋମିଟର ଦୂରରେ ,ବୀରିଗଡ଼ ପାହାଡ଼ ଉପରେ ଥିବା ଏହି, ଗାଁର କୌଣସି ବି ବ୍ୟକ୍ତିଙ୍କ ବାଡ଼ିରେ ଗୋଟିଏ ବି ପାଇଖାନା ନିର୍ମାଣ ହୋଇନାହିଁ । ଏହି ୩ ଗୋଟି ଆଦିବାସୀ ଗାଁରେ ବସବାସ କରୁଛନ୍ତି ୪୫ ପରିବାରର ୨ଶହ ଲୋକ । ସରକାରୀ ଯୋଜନାରେ କିଭଳି ଚଞ୍ଚକତା କରାଯାଉଛି ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ରହିଛି ଏହି ଗାଁରେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ , ଯୋଜନା ସମ୍ପର୍କରେ କେହି ଅବଗତ ନଥିବା ବେଳେ କାହାରି ବାଡ଼ିରେ ଗୋଟିଏ ବି ପାଇଖାନା ନିର୍ମାଣ ହୋଇନାହିଁ । ହେଲେ ଗାଁ ଠାରୁ ୫ କିଲୋମିଟର ଦୂର ମିଟୁକୁଳି ଗାଁ ମୁଣ୍ଡରେ ରାତାରାତି ଠିକାଦାର ଓ ବିଭାଗ ପକ୍ଷରୁ ଗାଁ ବାହ୍ୟ ମଳମୁକ୍ତ ଗାଁ ଫଳକ ଲଗାଯାଇଛି । କୌଣସି ପରିବାରରେ ପାଇଖାନା ନିର୍ମାଣ ନ ହୋଇ କିଭଳି ଗ୍ରାମକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯାଇଛି, ତାହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଂଚଳ ବାସୀ ଦାବି କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି , ଦଶପଲ୍ଲା ବ୍ଲକ୍‌ରେ ଶତ ପ୍ରତିଶତ ପାଇଖାନା ନିର୍ମାଣ ହୋଇଥିବା ନେଇ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି । ପ୍ରତ୍ୟେକ ଗ୍ରାମରେ ଏଭଳି ମାଳମାଳ ଫଳକ ମଧ୍ୟ ଲଗାଯାଇଛି । ଯାହାକି ଉପାନ୍ତ ଅଂଚଳର ସ୍ଥିତି ଅଧିକ ସଂଗୀନ୍‌ ଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହି ଘୋଟାଲା ଲୋକଲୋଚନକୁ ଆସିପାରିବ ବୋଲି ସର୍ବସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

seven + 20 =