ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଧଣ୍ଡରା ଗ୍ରାମରେ ବର୍ଷାରେ ଘର ଭାଙ୍ଗିଯିବାରୁ ଗଙ୍ଗାଧର ସୌରା (୭୦)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଦୁଇ ଦିନ ହେବ ବର୍ଷା ଲାଗିରହିଥିବା ବେଳେ ଗତ ରାତିରେ ଶୋଇଥିବା ସମୟରେ ଝାଟିମାଟି କୁଡ଼ିଆର ଛାତ କାନ୍ଥ ପଡିଯାଇଥିଲା । ତାଙ୍କର କେହି ସମ୍ପର୍କୀୟ ନ ଥିବାବେଳେ ପ୍ରାୟ ୨୦ ବର୍ଷ ହେବ ପିତା କୁମୁଲି ଗାଁରୁ ଆସି ଧଣ୍ଡରା ଠାରେ ଝାଟି କୁଡ଼ିଆରେ ରହୁଥିଲେ । ସକାଳ ପାଞ୍ଚ ଘଣ୍ଟା ସମୟରେ ଗ୍ରାମର ଲୋକ ଦେଖି ତେନ୍ତୁଳୀଖୁଣ୍ଟି ଅଗ୍ନି ଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବିଭାଗ ଆସି ଗ୍ରାମର ଲୋକଙ୍କ ସହାୟତରେ ଘର ଭିତରୁ ଶବକୁ ବାହାର କରିଥିଲେ । ନନ୍ଦାହାଣ୍ଡି ତହସିଲଦାର ଏ ସ୍ନେହଳତା, ନନ୍ଦାହାଣ୍ଡି ଏ ବିଡିଓ ପ୍ରଫୁଲ କୁମାର କଅଁର, ପିଇଅ ଧଣ୍ଡରା ଉପସ୍ଥିତ ରହି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ମେଡିକାଲକୁ ପଠାଇ ଥିବା ସୂଚନା ଦେଇଛନ୍ତି । ସରକାରଙ୍କ ଯାହା ସୁବିଧା ଅଛି ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।