ଅଖିଳ ଭାରତ କୃଷକ ସଭାର କର୍ମଶାଳା, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କରାଯିବ ସଂଗଠନ

0 83

ଦଶପଲ୍ଲା : ଦଶପଲ୍ଲାର ଶିକ୍ଷକ ଭବନରେ ଅଖିଳ ଭାରତ କୃଷକ ସଭାର ଦଶପଲ୍ଲା ବ୍ଲକ୍‌ କମିଟି ପକ୍ଷରୁ ବିଭିନ୍ନ ପଞ୍ଚାୟତର କର୍ମୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ସଂଗଠନର ବ୍ଲକ୍‌ କମିଟି ସଭାପତି ବ୍ରଜବନ୍ଧୁ ପ୍ରଧାନ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ତଥା ଉତ୍ତରପ୍ରଦେଶରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢାଇ ହତ୍ୟା କରିଥିବା ଆନ୍ଦୋଳନରତ ଚାଷୀଙ୍କ ଉଦ୍ଦେଶ୍ୟରେ ନୀରବ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସଂଗଠନର ବ୍ଲକ୍‌ କମିଟି ସମ୍ପାଦକ ଗଣେଶ୍ୱର ନାୟକ ପ୍ରାରମ୍ଭିକ ବକ୍ତବ୍ୟ ଦେଲା ପରେ କୃଷକ ସଭାର ରାଜ୍ୟ କର୍ମକର୍ତ୍ତା ତଥା ପୂର୍ବତନ ରାଜ୍ୟ ସଭାପତି ଅଭିରାମ ବେହେରା ଚାଷୀମାନଙ୍କ ଚଳନ୍ତି ସମସ୍ୟା ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନି କଳା କୃଷି ଆଇନ ଏବଂ ତାକୁ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ବର୍ଷେ ହେଲା ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନ ସମ୍ପର୍କରେ ବ୍ୟାଖ୍ୟା କରି ଏହାକୁ ସମର୍ଥନ କରି ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରିବାପାଇଁ ଗାଁ ମାନଙ୍କରେ ଚାଷୀ ସଭା କରିବାକୁ ଆହ୍ୱାନ ଦେଇଥିଲେ । ଏହାପରେ ସଂଗଠନର ନୟାଗଡ଼ ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର ସଂଗଠନର ଇତିହାସ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅର୍ଥାତ୍‌ ପ୍ରାକ୍‌ ସ୍ୱାଧୀନତା କାଳରୁ ଏଯାବତ୍‌ କୃଷକ ସଭାର ଲଢେଇ ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଇଥିଲେ । ଦଶପଲ୍ଲାର ସମସ୍ୟା ବହୁଳ ଗ୍ରାମଗୁଡିକରେ ଲୋକଙ୍କ ସମସ୍ୟାକୁ ଭିତ୍ତିକରି ସଂଗଠନ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ନୟାଗଡ଼ ଜିଲ୍ଲାର ଅନ୍ୟତମ ନେତା ତଥା ସିପିଏମ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତି ଉପରେ ଆଲୋଚନା କରିବା ସହିତ କୃଷକ ମାନଙ୍କ ମୁଖ୍ୟ ଦାବୀ ବୃତ୍ତଙ୍ଗ ଜଳସେଚନ ଯୋଜନା ପାଇଁ ଗାଁରେ ଗାଁରେ ସଂଗଠନ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଆଗାମୀ ଦିନପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନେବାପାଇଁ ସ୍ଥିର କରାଗଲା । ଶେଷରେ ସଭାପତି ବ୍ରଜବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 4 =