ରାଜ୍ୟରେ ଭୟଙ୍କର ମରୁଡି ପରିସ୍ଥିତି, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର

0 145

ସମ୍ୱଲପୁର : ଚଳିତ ବର୍ଷ ବର୍ଷା ଅଭାବରୁ ଉତ୍କଟ ମରୁଡି ପରିସ୍ଥିତି ଦେଖାଦେଇଛି ତଥାପି ଓଡିଶା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏପର୍ଯନ୍ତ ରାଜ୍ୟ ସରକାର କୌଣସି ଚିନ୍ତା ପ୍ରକଟ କରୁନାହାନ୍ତି । ଗତ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୭୬୧.୮ ମିଲିମିଟର ବର୍ଷା ହେବା କଥା କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୫୩୭.୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱଭାବିକ ବର୍ଷାଠାରୁ ୨୯ ପ୍ରତିଶତ ନିଅଣ୍ଟ ରହିଛି । ସେପଟେ ରାଜ୍ୟର ୨୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପ୍ରଭାବ ସର୍ବାଧିକ ରହିଛି । ଯାଜପୁର ଜିଲ୍ଲାରେ ୫୪, ଭଦ୍ରକ ୫୨, ବଲାଙ୍ଗୀର ୪୨, ଝାରସୁଗୁଡା ଓ କେନ୍ଦୁଝର ୪୧, ଅନୁଗୁଳରେ ୪୦ ପ୍ରତିଶତ କମ ବର୍ଷା ହୋଇଛି, ଯାହାକୁ ନେଇ ମରୁଡିର ସମ୍ଭାବନା ଜଣାପଡ଼ୁଛି । ଅଗଷ୍ଟ ମାସ ୧ତାରିଖରୁ ଆଜି ପର୍ଯ୍ୟନ୍ତ ମାତ୍ର ୮୧.୧ମିମି ବର୍ଷା ହୋଇଛି । ଯଦିଓ ୧୯୯.୫ ମିମି ବର୍ଷା ହେବା କଥା, ଏଣୁ ଏହା ସ୍ୱାଭାବିକ ବର୍ଷା ଠାରୁ ୫୯ ପ୍ରତିଶତ କମ । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଉଦବେଗ ଜଣାଇବା ସହିତ ସରକାରଙ୍କ ଏହି ଆଭିମୁଖ୍ୟକୁ ନିନ୍ଦା କରୁଛି । ରାଜ୍ୟ ସରକାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସୁବିଧା ପାଇଁ ଘୋଷଣା କରିଥିଲେ ହେଲେ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପର କୌଣସି ଅଗ୍ରଗତି ହୋଇନାହିଁ,ପାର୍ବତୀ ଗିରି ବୃହତ ଉଠା ଜଳସେଚନ କାର୍ଯ୍ୟ ଆରମ୍ଭ ହୋଇନାହିଁ । ୨୦୦୯ ମସିହାରେ ଓଡିଶା ସରକାର କ୍ୟାବିନେଟରେ ନିଷ୍ପତ୍ତି କରିଥିଲେ କି ଯେ ଦୁଇଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବେ, ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ୨୦୧୮ ମସିହାରୁ ଗଭୀର ନଳକୂପ ଯୋଜନାରେ ଚାଷୀମାନେ ନଳକୂପ ଖୋଲିଛନ୍ତି, କିନ୍ତୁ ସେଠାରେ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଯେଉଁଠି ବି ବିଦ୍ୟୁତ ସଂଯୋଗ ହୋଇଛି, ସେଠାରେ ଲୋ ଭୋଲ୍‌ଟେଜ ଯୋଗୁଁ ଜଳସେଚନ ହୋଇପାରୁ ନାହିଁ, ଯଦି ରାଜ୍ୟ ସରକାର ନିଜ ଘୋଷଣା ଅନୁସାରେ କାର୍ଯ୍ୟ କରିଥାନ୍ତେ, ତାହେଲେ ହୁଏତ କିଛିକାଂଶରେ ମରୁଡିର ପ୍ରତିକାର ହୋଇପାରି ଥାଆନ୍ତା । ଏଣୁ ତୁରନ୍ତ ରାଜ୍ୟ ସରକାର ଯଥାଶୀଘ୍ର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି ଏସବୁ ସମସ୍ୟାର ସମାଧାନ କରନ୍ତୁ ବୋଲି ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ସମ୍ବଲପୁର କ୍ରୁଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ (ଟିକି) ଏକ ପ୍ରେସ ବିବୃତ୍ତିରେ ଜଣାଇ କ୍ଷୋଭ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × one =