ରାଉରକେଲା : ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସିଆରଏମ୍ ଟିମ୍ ରାଉରକେଲା ସରକାରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହା ସହ ଏହି ଟିମ ଆର୍ଜିଏଚ୍ ରେ ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି । ଯୁଗ୍ମ ସଚିବ ଡାକ୍ତର ରଘୁରାମ ରାଓଙ୍କ ନେତୃତ୍ୱରେ ଏହି ଟିମରେ ଡାକ୍ତର ରାମଚନ୍ଦ୍ର, ଅନୀଲ ଏମ୍ ଏଚ୍, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ପ୍ରୋଗ୍ରାମ୍ ମେନେଜର ଦୀପକ ମହାନ୍ତି, ରାଜ୍ୟ ଟିବି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ହୋତା, ଶିଶୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମୀ ଶତପଥୀ ପ୍ରମୁଖ ଥିଲେ । ସେମାନେ ଆର୍ଜିଏଚ୍ ର ପ୍ରତ୍ୟେକ ବିଭାଗ ବୁଲି ଦେଖିବା ସହିତ ସେଠାରେ ଚାଲୁଥିବା କାମ ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରତ୍ୟେକ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗିମାନେ ଠିକ୍ ଭାବରେ ଚିକିତ୍ସା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଠିକ୍ ଭାବେ ଚିକିତ୍ସା କରାଯାଉଛି କି ନାହିଁ ତାହା ମଧ୍ୟ ପଚାରି ବୁଝିଥିଲେ । ଶେଷରେ ଡାକ୍ତରଖାନାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଆର୍ଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ନାୟକ, ଅଧୀକ୍ଷକ ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ୍, ଉପ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ ଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ । ପରିଦର୍ଶନରେ ଥିବା ଏହି ଟିମ୍ ପ୍ରତ୍ୟେକ ବିଭାଗରେ ଥିବା ସମସ୍ତ ସମସ୍ୟା ଉପରେ ଟିକ୍ନିକ୍ ରିପୋର୍ଟ ସଂଗ୍ରହ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବେ ।