ସମ୍ବଲପୁରରେ ଭାରତ ବନ୍ଦର ଆଂଶିକ ପ୍ରଭାବ

0 74

ସମ୍ବଲପୁର:ବିଭିନ୍ନ ଟ୍ରେଡ ୟୁନିୟନ ସଂଗଠନ ପକ୍ଷରୁ ଆଜିର ଆୟୋଜିତ ଭାରତ ବନ୍ଦର ଏଠାରେ ଆଂଶିକ ପ୍ରଭାବ ଦେଖାଯାଇଛି । ସମସ୍ତ ମୁଖ୍ୟ ବଜାର ବନ୍ଦ ରଖାଯାଇଥିଲେ ମଧ୍ୟ ଛୋଟ ଦୋକାନୀ ଓ ରାସ୍ତା କଡରେ କିଣାବିକା ଅବ୍ୟାହତ ରହିଛି । ସମସ୍ତ ସଂଗଠିତ ବଜାର ଗୁଡିକ ପୁରାପୁରି ବନ୍ଦ ରହିଛି କିନ୍ତୁ ଏହାର କିଛି ପ୍ରଭାବ ସାଇ ପଡିଶାର ବଜାରରେ ଆଦୌ ପଡି ନାହିଁ । ପୁରୁଣା ସହରାଞ୍ଚଳରେ ଏହାର କୌଣସି ପ୍ରଭାବ ପଡି ନାହିଁ ଓ ଜନଜୀବନ ସାମାନ୍ୟ ଭାବରେ ଚଳଚଞ୍ଚଳ ରହିଛି । ବାହାଘର ପାଇଁ ଆଜି ଏକ ବଡଲଗ୍ନ ଥିବାରୁ ଅନେକ ସ୍ଥାନରେ ବାହାଘର ଭିଡ ଜମିରହିଛି ଏଣୁ ସେଠାରେ ବନ୍ଦର କୌଣସି ପ୍ରଭାବ ଦିଶୁ ନାହିଁ । ଯାନବାହନ ଚଳାଚଳ କ୍ଷେତ୍ରରେ ପୁରାପୁରି ଭାବରେ ବନ୍ଦର ପ୍ରଭାବ ରହିଛି । ଜାତୀୟ ରାଜପଥରେ ବନ୍ଦ ଆୟୋଜକଙ୍କ ଉପସ୍ଥିତି ଯୋଗୁଁ ସେଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଦୂରଗାମୀ ଟ୍ରଲର ଓ ଟ୍ରକଗୁଡିକ ସୁରକ୍ଷିତ ଜାଗା ଦେଖି ମେଳବାନ୍ଧି ଠିଆ ହୋଇ ରହିଛନ୍ତି । ଅଧିକାଂଶ ଚାରିଚକିଆ ଓ ବଡ଼ଗାଡି ରାସ୍ତାଉପରେ ଦିଶୁନଥିଲେ ମଧ୍ୟ ସହରର ଆଭ୍ୟନ୍ତରିଣ ଅଞ୍ଚଳରେ ଦୁଇଚକିଆ ବାହନ ନିର୍ବାଧ ରୂପେ ଯିବା ଆସିବା କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସେବାକୁ ଏହି ବନ୍ଦ ପରିସରରୁ ମୁକ୍ତ ରଖିବା ପାଇଁ ଘୋଷଣା ସତ୍ତ୍ୱେ ପେଟ୍ରୋଲ ପମ୍ପସବୁ ବନ୍ଦ ରଖାଯାଇଛି,ଏହାର ଏକମାତ୍ର କାରଣ ସେମାନେ ଭଙ୍ଗାରୁଜାକୁ ଏଡାଇବା ପାଇଁ ଏପରି କରିବାକୁ ବାଧ୍ୟ । ଏହି କ୍ଷେତ୍ରରେ ରାଜ୍ୟ ସରକାର ବୋଧହୁଏ ପୁଲିସ ସୁରକ୍ଷା ଯୋଗାଇବା ପାଇଁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ଏପରିକି ଏଠାକାର ପୁଲିସ ଲାଇନ ସଂଲଗ୍ନ ପୁଲିସ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି ଓ ସେଠାରେ ସୁରକ୍ଷା ଦୃଷ୍ଟିରୁ ପୁଲିସ ମୁତୟନ କରାଯାଇ ନାହିଁ । ସ୍କୁଲ କଲେଜ ସବୁ ତ ଆଗରୁ ବନ୍ଦ ରହିଛି କିନ୍ତୁ ବିଶ୍ୱବିଦ୍ୟାଳୟକୁ ଯିବା ଆସିବା ପାଇଁ ବାହନ ଉପଲବ୍ଧ ନ ଥିବାରୁ ଅନେକ କର୍ମଚାରୀ ଅନୁପସ୍ଥିତ ରହିଛନ୍ତି । ଯେଉଁମାନେ ସକ୍ଷମ, ସେମାନେ ଘରେ ରହି \”ୱାର୍କ ଫ୍ରମ ହୋମ\’ କରୁଛନ୍ତି ।
/
ସମ୍ବଲପୁର ଜିଲ୍ଲାରେ ଆଜି ନୂଆ ୧୫ ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଗତ କିଛି ଦିନ ହେଲା ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ କ୍ରମଶଃ ପଶମିତ ହେବା ଦେଖାଯାଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଏହି ଜିଲ୍ଲାରେ ମୋଟ ୧୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ ୮୭୨୦ ଜଣ ପଜିଟିଭ ଚିହ୍ନଟ ହେଲେଣି, ଏଥିରୁ ୭୨ ଜଣଙ୍କ ମୃତ୍ୟୁ ପରେ ୮୪୪୦ ଜଣ ସୁସ୍ଥଲାଭ କରି ଘରକୁ ଫେରିଲେଣି ଓ ବାକି ୨୦୮ ଜଣ ସକ୍ରିୟ ରୋଗୀଙ୍କ ଭିମସାର କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତ ମଇ ୧୭ରେ ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା ଓ ଏହାପରେ ଜୁଲାଇ ଆଡ଼କୁ ଏହା ତୀବ୍ରତାର ସହିତ ସଂକ୍ରମିତ ହେବାକୁ ଲାଗିଲା । ଜିଲ୍ଲାରେ ଦୈନିକ ପଜିଟିଭ ଚିହ୍ନଟ ଙ୍କ ସଂଖ୍ୟା ସର୍ବାଧିକ ୧୮୪ରେ ପହଞ୍ଚିଲା ପରେ ଗତକାଲି ବୁଧବାର ଦିନ ଏହା ପ୍ରଥମ ଥର ପାଇଁ ଏକ ଅଙ୍କ ବିଶିଷ୍ଟ ୯ ରହିଥିଲା, ଯାହାକି ଲୋକଙ୍କ ଆଶ୍ୱସ୍ତି ଆଣିଛି । ଏଠାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ କୋଭିଡ ଚିକିତ୍ସା ସେବା ଉଠାଇ ଏହାକୁ ସାମାନ୍ୟ ଅଣକୋଭିଡ ଚିକିତ୍ସା ପାଇଁ ଖୋଲିବା ପରେ କୋଭିଡ ରୋଗୀଙ୍କ ପାଇଁ ଭିମସାର ହିଁ ଏକମାତ୍ର ଶାହାଭରସା । ବର୍ତ୍ତମାନ ସେଠାରେ ଏଥିପାଇଁ ୧୦୦ଟି ସାମାନ୍ୟ ଶଯ୍ୟା ଓ ୧୯ଟି ଆଇସିୟୁ ୟୁନିଟ କାର୍ଯ୍ୟକ୍ଷମ ରହିଛି । କିନ୍ତୁ ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ନିର୍ମାଣ ପରଠାରୁ ଏପର୍ଯ୍ୟନ୍ତ ଏହି ନବନିର୍ମିତ ଭବନକୁ ଅଗ୍ନି ନିରାପତ୍ତା ଅନୁମତି ମିଳି ପାରି ନାହିଁ ।

hiranchal ad1
Leave A Reply

Your email address will not be published.

two − 1 =