ସମ୍ବଲପୁରରେ ନୂଆ ୧୨୭ଜଣ ପଜିଟିଭ ଚିହ୍ନଟ: ଘରେ ଚିକିତ୍ସା ପାଇଁ ବଜାରରେ ଔଷଧ ଉପଲବ୍ଧ କରାଯାଉଛି

0 93

ସମ୍ବଲପୁର :ସମ୍ବଲପୁର ଜିଲ୍ଲାରେ ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ୧୨୭ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହିତ ଗତକାଲି ଦିନେ ଛାଡି ପୁରା ୭ ଦିନ ପର୍ଯ୍ୟନ୍ତ ଲଗାୟତ ଶତାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୪୫୭୬ ହୋଇଛି ଓ ଏମାନଙ୍କ ମଧ୍ୟରୁ ୨୦ଜଣ ମୃତ ଓ ୩୩୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୧୬୪ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । କରୋନା ଯୋଗୁଁ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାକୁ ନେଇ ବିବାଦର ଅନ୍ତ ହେଉନାହିଁ । ପ୍ରତିଦିନ ମୃତକଙ୍କ ସଂଖ୍ୟା ହାରାହାରି ୮ ପାଖାପାଖି ରହୁଥିଲେ ମଧ୍ୟ ଗତକାଲି ଏହା ଯାହା ଥିଲା, ଆଜି ତାହାହିଁ ଦର୍ଶା ଯାଇଛି । ଅର୍ଥାତ ଗତକାଲି କେତେଜଣ ମରିଛନ୍ତି, ସେ ବିଷୟରେ ଜିଲ୍ଲା ପ୍ରଶାସନ ରହସ୍ୟଜନକ ରୂପେ ନିରବ ରହିଛି । ଜିଲ୍ଲାରେ ବିଗତ ୧୬ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା୧୬୦୦ ଉପରେ ଯାଇ ପହଞ୍ଚିଛି, ଯଦ୍ୱାରା ଏହା ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନ କରୋନା ତାର ଭୟଙ୍କର ରୂପ ଦେଖାଉଛି । ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଔଷଧ \”ଫାଭିପିରଭିର\’ ବିକ୍ରୟ ସକାଶେ ୨୭ଟି ଔଷଧ ଦୋକାନ ଚିହ୍ନଟ କରାଯାଇଛି । ରାଜ୍ୟ ଡ୍ରଗ ନିୟନ୍ତ୍ରଣ ନିର୍ଦ୍ଦେଶାଲୟ ପକ୍ଷରୁ ଗତକାଲି ଜାରି ଏକ ପ୍ରେସବିବୃତ୍ତି ଅନୁସାରେ ଔଷଧ ଦୋକାନରେ କରୋନା ନିରାକରଣ ପାଇଁ ଫାଭିପିରଭିର ବଟିକା ମିଳିବା ସହିତ ହସ୍ପିଟାଲରେ ରେମଡେସିଭିର ଇଞ୍ଜେକଶନ ଯୋଗାଇ ଦିଆଯିବ । ଏହି ଇଞ୍ଜେକଶନ ଅତି ଜରୁରୀ ପରିସ୍ଥିତି ରେ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଉକ୍ତ ବଟିକା କିଣିବା ପାଇଁ କିଛି ତଥ୍ୟ ଯୋଗାଇବାକୁ ପଡିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ବର୍ତ୍ତମାନ ସରକାରୀ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ଅଭାବ ରହୁ ଥିବାରୁ ଲୋକଙ୍କୁ ନିଜ ଘରେ ରହି ଚିକିତ୍ସା ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଏହି କ୍ରମରେ ଉକ୍ତ ଔଷଧ ଖୋଲା ବଜାରରେ ଉପଲବ୍ଧ କରାଯାଉଛି ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି ।

hiranchal ad1
Leave A Reply

Your email address will not be published.

twenty − 15 =