ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ୬୫ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ବସକୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରି ସଫଳ ଯାତ୍ରା ନିମନ୍ତେ ଶୁଭକାମନା କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ସଫଳ ତୀର୍ଥ ଭ୍ରମଣ ନିମନ୍ତେ ଶୁଭ କାମନା କରି ଉତ୍ସାହିତ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ସହଦେବ ମେହେର ଓ ବିଶ୍ୱ ପ୍ରତାପ ସେଠଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରୁ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ଏହି ବସ ଆଜି ସନ୍ଧ୍ୟାରେ ସମ୍ବଲପୁରରେ ପହଂଚିବ । ଆସନ୍ତାକାଲି ସକାଳ ୧୦ ଘଣ୍ଟାରେ ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ସ୍ୱତନ୍ତ୍ର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ଆମ ଜିଲ୍ଲାର ୬୫ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ସହ ରାଜ୍ୟର ବିଭିନ୍ନ ଅନ୍ୟ ୯ ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ମହାରାଷ୍ଟ୍ର ଅନ୍ତର୍ଗତ ନାସିକ ଓ ସିରିଡି ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।