ପାଲଝାରର ଟ୍ରାକ୍ଟର ଭଡା ପ୍ରସଙ୍ଗ: ଭିତିରିଆ ଭାବେ କୋଟେସନ କରିବାକୁ ମସୁଧା !

0 532

ବୈାଦ୍ଧ: ବିଗତବର୍ଷ ମାନଙ୍କରେ ବିନା କୋଟେସନରେ ଟ୍ରାକ୍ଟର ଲଗାଇ ଲକ୍ଷଲକ୍ଷ ଟଙ୍କାର ବିଲ୍ କରାଯିବା ପ୍ରସଙ୍ଗ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଚଳିତବର୍ଷର କୋଟେସନ ନାଟକ ଏବେ ଆଲୋଚନାର ଖୋରାକ ଯୋଗାଉଛି । ଭିତିରିଆ ଭାବରେ କୋଟେସନ କଲ୍ ନୋଟିସ ବାହାରକରି ନିଜ ପସନ୍ଦର ଟ୍ରାକ୍ଟର ମାଲିକଙ୍କୁ ମନୋନୀତ କରିବାପାଇଁ ଫାର୍ମ ଅଧୀକ୍ଷକ କରିଥିବା ମସୁଧା ଏବେ ଧରାପଡିଯାଇଛି । ଫାର୍ମ ଅଧୀକ୍ଷକ ପାଲଝାର ତାଙ୍କ ଅଫିସ ଚିଠି ନଂ ୫୨ ତା ୬/୫/୨୦୨୦ରେ ୩୦ ହେକ୍ଟର ଚାଷଜମି ହଳକରିବାପାଇଁ ଟ୍ରାକ୍ଟର ମାଲିକ ମାନଙ୍କଠାରୁ କୋଟେସନ ଆହ୍ୱାନ କରିଥିଲେ । ୧୫/୫/୨୦୨୦ ସୁଦ୍ଧା ଆଗ୍ରହୀ ଟ୍ରାକ୍ଟର ମାଲିକମାନେ ସେମାନଙ୍କର ଗାଡିର କାଗଜପତ୍ର ସହ ଦର ନିର୍ଦ୍ଧାରଣ କରି କୋଟେସନ ପକାଇବାକୁ ଚିଠିରେ ଦିନ ଧାର୍ଯ୍ୟ କରାଯାଇଥିଲା । ସେହିଦିନହିଁ କୋଟେସନ ଖୋଲାଯିବାକୁ ଉଲ୍ଲେଖ କରାଯାଇଥିଲା । ଉଦ୍ଦେଶ୍ୟମୂଳକ ଭାବରେ କୋଟେସନ କଲ୍ ନୋଟିସ କେଉଁଠି ବି ପ୍ରକାଶ ନକରି ଗୁପ୍ତରେ ରଖାଯାଇଥିବା ଟ୍ରାକ୍ଟର ମାଲିକମାନେ ଅଭିଯୋଗ କରିଛନ୍ତି । ପାଲଝାର ଫାର୍ମର ଓଭରସିଓର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମଧ୍ୟ କୋଟେସନ ମଗାଯିବା ନୋଟିସ ସଂପର୍କରେ ଅବଗତ କରାଯାଇନଥିଲା । ନୋଟିସ ହେବାର ୩୮ଦିନ ପରେ ଅର୍ଥାତ ତା ୨୪/୬/୨୦୨୦ ରିଖ ଦିନ ୧୧ଟା ୨୦ମିନିଟ ସମୟରେ କୃଷି ଓଭର ସିଓରଙ୍କୁ ଚିଠିର ନକଲ ଦିଆଯାଇଥିବା ତାଙ୍କ ପ୍ରାପ୍ତିସ୍ୱୀକାର ବିବରଣୀରୁ ଜଣାପଡେ । ଜିଲ୍ଲା ମୁଖ୍ୟ କୃଷିଅଧିକାରୀ କିମ୍ବା ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମେତ ପାଲଝାର ଫାର୍ମର ନୋଟିସ ବୋର୍ଡରେ ମଧ୍ୟ କୋଟେସନ କଲ ନୋଟିସ ପ୍ରକାଶିତ ହୋଇନଥିବା ଅଭିଯୋଗ ହୁଏ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଷବର୍ଷ ଧରି ପାଲଝାର ଫାର୍ମର ଅଧୀକ୍ଷକମାନେ ଟ୍ରାକ୍ଟର ଭଡା ଲଗାଇବାକୁ କୌଣସି କୋଟେସନ ନକରି ଫାର୍ମର ଜଣେ କର୍ମଚାରୀ ଓ ତାଙ୍କ ସଂପର୍କୀୟ ବ୍ୟକ୍ତିଙ୍କ ଟ୍ରାକ୍ଟର ଲଗାଇ ଅଧିକ ଭଡା ଦେଖାଇ ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହୋଇଥିଲା । କୋଟେସନ ନାମରେ କିଛି ଡମି ଟ୍ରାକ୍ଟର ମାଲିକଙ୍କ ନାମ ଭର୍ତ୍ତିକରି କେବଳ କାଗଜପତ୍ରରେ କୋଟେସନ ହେଉଥିବା ଦର୍ଶାଯାଉଥିଲା । ଗତବର୍ଷ ଫାର୍ମରେ ଲଗାଯାଇଥିବା ଟ୍ରାକ୍ଟର ଗୁଡିକର ପଞ୍ଜିକରଣ ଅବଧି ସରିଯାଇଥିଲା ଓ କାହାରି ବୀମା ମଧ୍ୟ ନଥିଲା । ଯେଉଁ ଟ୍ରାକ୍ଟରଗୁଡିକୁ କୋଟେସନ ପ୍ରକ୍ରିୟାରେ ଡମି କରାଯାଇଥିଲା ସେଗୁଡିକର ମଧ୍ୟ ବୈଧତା କିମ୍ବା ବୀମା ନଥିବା ଅଭିଯୋଗ ହୁଏ ।
ପାଲଝାର ଫାର୍ମରେ ସାର, ବିହନ କିଣା, ଟ୍ରାକ୍ଟରଭଡା, ଜଳସେଚନ ସାମଗ୍ରୀର ମରାମତି ଓ କୃଷିଶ୍ରମିକ ନିଯୁକ୍ତିରେ ଗତ କିଛିବର୍ଷ ହେଲା ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏସବୁ ହେଉଥିବାରୁ ଅଭିଯୋଗ ଗୁଡିକୁ ଚପାଇ ଦିଆଯାଉଥିବା ଅଭିଯୋଗକାରୀମାନେ ପ୍ରକାଶ କରନ୍ତି । ସେଥିପାଇଁ ପାଲଝାର ଫାର୍ମ ଦୁର୍ନୀତିର ଭିଜିଲାନସ ତଦନ୍ତ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

19 + eight =