ଅଯୋଗ୍ୟ ହିତାଧିକାରୀ ଏବେ ଫେରାଇବେନି କାଳିଆ ଟଙ୍କା

0 139

ଭୁବନେଶ୍ୱର : କରୋନା ସ୍ଥିତି ଓ ଖରିଫ ଚାଷ ସମୟ ହୋଇଥିବାରୁ ଚାଷୀଙ୍କ ଉପରେ ସରକାର ଚାପ ଦେବା ପାଇଁ ଚାହିଁଲେ ନାହିଁ । ଏହି କାରଣରୁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଏବେ ଫେରାଇବେ ନାହିଁ ବୋଲି ସରକାର ପୂର୍ବରୁ ଦେଇଥିବା ନିଷ୍ପତ୍ତିକୁ ସ୍ଥଗିତ କରିଛନ୍ତି । ଚାଷୀଙ୍କ ଉପରେ ଏଭଳି ସ୍ଥିତିରେ ଚାପ ନ ଦେବାକୁ ସରକାର ନିଷ୍ପତ୍ତି ନେବା ପରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି କରାଯାଇଛି । ଏହାକୁ ନେଇ ଚାଷୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଥିବା ବେଳେ ବିରୋଧୀଙ୍କ ପାଟି ମଧ୍ୟ ଚୁପ୍ ହୋଇଯାଇଛି । ଉଲ୍ଲେଖ କରାଯାଇପାରେକି ରାଜ୍ୟ ସରକାର ମାତ୍ର ୩ ସପ୍ତାହ ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ଫେରାଇବା ନେଇ ନିଷ୍ପତ୍ତି କରିଥିଲେ । ଏ ନେଇ ପ୍ରତି ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଲଟକାଇବା ସହିତ ଯେଉଁ ଆକାଉଣ୍ଟ ନମ୍ବରରେ ଟଙ୍କା ଫେରସ୍ତ କରାଯିବ ତାହା ମଧ୍ୟ ସୂଚିତ କରାଯିବ । ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଚାଷୀମାନେ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିବା ସହିତ କାଳିଆ ଟଙ୍କା ନ ଫେରାଇବା ପାଇଁ ଦାବି କରିଥିଲେ । ବିରୋଧୀମାନେ ମଧ୍ୟ ଚାଷୀଙ୍କୁ ଏଥିରେ ସହଯୋଗ କରି କାଳିଆ ଟଙ୍କା ନଫେରାଇବା ପାଇଁ ପରୋକ୍ଷରେ କହିଥିଲେ । କୃଷି ସଚିବ ସୌରଭ ଗର୍ଗ ଅଯୋଗ୍ୟ ହିତାଧିକାରୀଙ୍କ ସଂପର୍କରେ କହିଥିଲେ ଯେ, ୫୧ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ୯୮ ପ୍ରତିଶତ ଯୋଗ୍ୟ ହିତାଧିକାରୀ ରହିଛନ୍ତି । କେବଳ ୫୦ହଜାର ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଏହି ଟଙ୍କା ଆଦାୟ କରାଯିବ । ଅପରପକ୍ଷରେ ବିରୋଧୀ ଅଯୋଗ୍ୟ ହିତାଧିକାରୀଙ୍କୁ ସାଧାରଣ ନିର୍ବାଚନ ସମୟରେ ଅଧିକାରୀମାନେ କାହିଁକି ଯାଞ୍ଚ ନକରି ଟଙ୍କା ଦେଲେ ଓ ପୁଣି କାହିଁକି ସେମାନଙ୍କଠାରୁ ଟଙ୍କା ଫେରସ୍ତ ଚାହୁଁଛନ୍ତି ତାକୁ ଜାଣିବା ପାଇଁ ଚାହିଁଥିଲେ । ଏ ନେଇ ଗତ ବିଧାନସଭା ଅଧିବେଶନ ସମୟରେ ମଧ୍ୟ ବିରୋଧୀ ସରକାରଙ୍କ ଘେରିଥିଲେ ।

hiranchal ad1
Leave A Reply

Your email address will not be published.

one × 5 =