ସମ୍ବଲପୁର : ଚିକିତ୍ସାଧୀନ ଏକ ହାତୀ ଶାବକର ମୃତ୍ୟୁ ଘଟିଛି । ବନବିଭାଗୀୟ କର୍ମଚାରୀ ଏହି ହାତୀ ଶାବକକୁ ଶନିବାରଦିନ ହାତୀପଲ ସହିତ ଦେଖିଥିଲେ କିନ୍ତୁ ପରେ ଏହା ହଠାତ ଅସୁସ୍ଥ ହୋଇପଡିଥିଲା । ଏହା ଜାଣିବାପରେ ରବିବାରଦିନ ଏହାକୁ ଠାବକରି ତାହାର ଚିକିତ୍ସା କରାଗଲା କିନ୍ତୁ ଚିକିତ୍ସାରତ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲାର ବାମରା ବନଖଣ୍ଡ ଅନ୍ତର୍ଗତ ଖଲାଶୁଣି ଅଭୟାରଣ୍ୟର କଞ୍ଚନପରୁ ବଣରେ ଏହି ଶାବକକୁ ହାତୀପଲ ସହିତ ସ୍ୱାଭାବିକ ରୁପେ ବୁଲାବୁଲି କରୁଥିବା ଦେଖାଯାଇଥିଲା । ପରେ ଏହାକୁ ହଠାତ୍ ଅସୁସ୍ଥ ଦେଖି ଏ ବିଷୟରେ ରେଞ୍ଜ ଅଧିକାରୀଙ୍କୁ ସୂଚନା ଦିଆଗଲା ଓ ସେ ନାକଟିଦେଉଳରୁ ପ୍ରାଣୀଧନ ଚିକିତ୍ସକଙ୍କୁ ନେଇ ତାହାର ଚିକିତ୍ସା ମଧ୍ୟ କରିଥିଲେ କିନ୍ତୁ ପ୍ରାୟ ଘଣ୍ଟାଏ ଖଣ୍ଡେ ଚିକିତ୍ସାପରେ ସେ ମରିଗଲା । ଉକ୍ତ ପ୍ରାଣୀଧନ ଚିକିତ୍ସକ ଏହି ମୃତ ଶାବକର ଶବ ବ୍ୟବଚ୍ଛେଦ କରି ଅଂଶୁଘାତ ଓ ହୃଦଘାତ ଯୋଗୁଁ ତାହାର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ।