ସମ୍ବଲପୁରରେ ପୁଣି ୧୦୭ ନୂଆ ପଜିଟିଭ ଚିହ୍ନଟ: ମହାନଗର ଅଞ୍ଚଳରେ ଶବସତ୍କାର ପାଇଁ ସ୍ଥାନାଭାବରୁ ଉଦବେଗ

0 104

ସମ୍ବଲପୁର :ଆଜିକୁ ମିଶାଇ ଲଗାୟତ ୯ ଦିନ ହେଲା ପ୍ରତିଦିନ ଶତାଧିକ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଜନସାଧାରଣଙ୍କ ମନରେ ଛନକା ପଶିବା ସହିତ ପ୍ରଶାସନିକ ସ୍ତରରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ପୁଣି ୧୦୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୪୮୩୭ ଜଣ କରୋନା ଆକ୍ରାନ୍ତ ରୂପେ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୫୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୦ଜଣ ମୃତ୍ୟୁବରଣ କରିଛନ୍ତି ତଥା ବାକି ୧୨୬୬ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ପ୍ରଶାସନ ପକ୍ଷରୁ ସ୍ୱୀକାର କରାଯାଉ କି ନଯାଉ ପ୍ରତିଦିନ ଏଠାରେ ହାରାହାରି ୫ରୁ ୭ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହେଉଛି । ଏମାନଙ୍କ ଦାହ ସଂସ୍କାର ସ୍ଥାନୀୟ ରାଜଘାଟ ସ୍ଥିତ ବିଦ୍ୟୁତ ଚୁହ୍ଲାରେ କରା ଯାଉଥିବାରୁ ଲୋକେ ସୁରକ୍ଷିତ ମଣୁଥିଲେ, କିନ୍ତୁ ଗତ କିଛି ଦିନ ହେଲା ଏହା ଅଚଳ ହୋଇ ପଡିଛି । ଏଣୁ ସାଧାରଣ ଶବଙ୍କ ସହିତ କରୋନା ମୃତକଙ୍କ ମଧ୍ୟ ସେଠାରେ ଦାହ ସଂସ୍କାର କରିବାକୁ ପଡୁଛି । ଏହାକୁ ନେଇ ରାଜଘାଟ ଶ୍ମଶାନରେ ବାତାବରଣ ଅସୁରକ୍ଷିତ ହେବା ସହିତ ଏବିଷୟରେ ଜନାସନ୍ତୋଷ ମଧ୍ୟ ଦେଖା ଯାଉଛି । ଏଥିପାଇଁ ଏକ ବିକଳ୍ପ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ପ୍ରଶାସନ ବର୍ତ୍ତମାନ ସ୍ଥାନୀୟ ବୁଢାରଜା ଶାନ୍ତିନଗର ଠାରେ ନିର୍ମିତ ଶ୍ମଶାନ ରେ କରୋନା ମୃତକ ଙ୍କ ଦାହ ସଂସ୍କାର କରାଯିବ ବୋଲି ଘୋଷଣା କରାଯାଇଛି । ଏହି ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ବିଷୟରେ ପଚାରି ବୁଝିବାରୁ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଅନିରୁଦ୍ଧ ପ୍ରଧାନ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହାସହିତ ଏପରି ଆଉ କିଛି ଜାଗା ଖୋଜା ଚାଲିଛି, ଯେଉଁ ଠାରେ ସ୍ଥାନୀୟ ଲୋକେ ସେମାନଙ୍କ ପ୍ରିୟଜନଙ୍କ ଶବସତ୍କାର କରି ପାରିବେ ଓ ଏହାଦ୍ୱାରା ସ୍ଥାନୀୟ ରାଜଘାଟ ଶ୍ମଶାନ ରେ ଆଉ ଚାପ ରହିବ ନାହିଁ, ବୋଲି କୁହାଯାଇଛି । ଏହାଦ୍ୱାରା କରୋନା ଯୋଗୁଁ ମୃତକ ଙ୍କ ଜରିଆରେ ସଂକ୍ରମଣ ବଢିବା ଆଶଙ୍କାର ସହଜ ନିରାକରଣ ହୋଇ ପାରିବ ଓ ଏବିଷୟରେ ଆଉ ଜନଅସନ୍ତୋଷ ରହିବ ନାହିଁ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

one + ten =