ସ୍ୱଚ୍ଛ ସର୍ବେକ୍ଷଣରେ ଓଡିଶାକୁ ପୁଣି ପୁରସ୍କାର

0 86

ଭୁବନେଶ୍ୱର : କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସ୍ୱଚ୍ଛ ସହର ତାଲିକା ଘୋଷଣା କରାଯାଇଛି । ସ୍ୱଚ୍ଛ ସର୍ବେକ୍ଷଣରେ ଓଡିଶାକୁ ଦୁଇଟି ବର୍ଗରୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବରେ ଓଡିଶା ପୁରସ୍କୃତ ହୋଇଛି । ଏହାଛଡା ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ପରିଚିତ ହୋଇଛି । ଅନ୍ୟ ପକ୍ଷରେ ସ୍ୱଚ୍ଛ ସର୍ବେକ୍ଷଣରେ କ୍ରମାଗତ ଭାବରେ ଚତୁର୍ଥ ଥର ପାଇଁ ଇନ୍ଦୋର ଦେଶର ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଛନ୍ତି । ସେହିପରି ସୁରତ ଦ୍ୱିତୀୟ, ନାଭି ମୁମ୍ବାଇ ତୃତୀୟ ଶ୍ରେଷ୍ଠ ସହର ଭାବରେ ବିବେଚିତ ହୋଇଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ର ଫଳାଫଳ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଦେଶରେ ଏହା ପଞ୍ଚମ ସ୍ୱଚ୍ଛତା ସର୍ବେକ୍ଷଣ ଅଟେ । ଏଥିପାଇଁ ମୋଟ୍ ୧୨୯ଟି ପୁରସ୍କାର ପ୍ରଦାନ କରାଯିବ । ସ୍ୱଚ୍ଛ ମହୋତ୍ସବ ନାମକ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ବିଭିନ୍ନ ରାଜ୍ୟ ଓ ସହରକୁ ଏଥିରେ ପୁରସ୍କାର କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ହିତାଧିକାରୀ ଓ ସ୍ୱେଚ୍ଛାସେବୀ, ସଫେଇ କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ହେଉଛି ସ୍ୱଚ୍ଛତା କ୍ଷେତ୍ରରେ ବିଶ୍ୱର ସର୍ବବୃହତ ସର୍ବେକ୍ଷଣ । ଯେଉଁଥିରେ ୪୨୪୨ଟି ସହର, ୬୨ କ୍ୟାଣ୍ଟେନମେଣ୍ଟ ବୋର୍ଡ ଓ ୯୨ଟି ଗଙ୍ଗା ସହର ମଧ୍ୟରୁ ପୁରସ୍କୃତ ହେବାକୁ ଥିବା ସହରଗୁଡିକୁ ମନୋନିତ କରାଯାଇଛି । ଏଥିରେ ୧କୋଟି ୮୭ଲକ୍ଷ ନାଗରିକ ଅଂଶଗ୍ରହଣ କରିଥିଲେ । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦, ୨୮ ଦିନ ମଧ୍ୟରେ ସଂପୂର୍ଣ୍ଣ ହୋଇଛି । ପ୍ରାୟ ୧କୋଟି ୭୦ଲକ୍ଷ ନାଗରିକ ସ୍ୱଚ୍ଛତା ଆପ୍‌ରେ ପଞ୍ଜିକୃତ ହୋଇଛନ୍ତି । ସାମାଜିକ ଗଣମାଧ୍ୟମରେ ୧୧କୋଟିରୁ ଅଧିକ ମତାମତ ପ୍ରକାଶ ପାଇଛି । ସାଢେ ୫ଲକ୍ଷ ସଫେଇ କର୍ମଚାରୀ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସହ ସଂପୃକ୍ତ ଅଛନ୍ତି ଓ ୮୪ହଜାର ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଲୋକଙ୍କୁ ମୁଖ୍ୟସ୍ରୋତକୁ ଅଣାଯାଇଛି ।

hiranchal ad1
Leave A Reply

Your email address will not be published.

11 − eight =