ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ କନ୍ଧମାଳ ଗସ୍ତ : ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କଲେ

0 124

ଫୁଲବାଣୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୂର୍ତ୍ତ ବିଭାଗ ସଚିବ ଡ. କୁମାର ଶୁକ୍ରବାର କନ୍ଧମାଳ ଗସ୍ତ କରି ଫୁଲବାଣୀରେ ନିର୍ମାଣଧୀନ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ସେମାନେ ବିଭିନ୍ନ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଟିକିନିଖି ତଥ୍ୟ ସଂଗ୍ରହ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ନେଇ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯେପରି ଧାର୍ଯ୍ୟ ସମୟରେ ଶେଷ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ନିର୍ମାଣ ସାମଗ୍ରୀ ଯୋଗାଇ ଦେବା ଲାଗି ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ ସ୍ଥଳ ଓ ଏହାର ପରିବେଶ ଦେଖି ସେ ଅତ୍ୟନ୍ତ ଅଭିଭୁତ ହୋଇଥିଲେ । ନିକଟସ୍ଥ ପାହାଡିଆ ସ୍ଥାନରେ ବୃକ୍ଷରୋପଣ ପାଇଁ ପରାମର୍ଶ ଦେବା ସହ ଡ୍ରେନେଜ ବ୍ୟବସ୍ଥା ଓ ଜଳ ସଂରକ୍ଷଣ ଢାଞ୍ଚ ନିର୍ମାଣ ପାଇଁ ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୫-ଟି ସଚିବ ଶ୍ରୀ ପାଣ୍ଡିଆନ ରୋଗୀଙ୍କ ଦେଖାଶୁଣା କରିବାକୁ ଆସିବାକୁ ଥିବା ବ୍ୟକ୍ତିମାନଙ୍କ ରହିବା ଓ ଓ ଖାଇବା ବ୍ୟବସ୍ଥା କରିବା ଲାଗି ପରାମର୍ଶ ଦେଇଥିଲେ । ତାହା ସହ କ୍ୟାମ୍ପସରେ ଡାକ୍ତର ଓ କର୍ମଚାରୀମାନେ ଯେପରି ସୁବିଧାରେ ଓ ସ୍ୱଚ୍ଛଦରେ ରହି କାର୍ଯ୍ୟ କରିପାରିବେ, ସେ ବ୍ୟବସ୍ଥା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ ପରିବାର ପାଇଁ ରହିବା ଏବଂ ଆମୋଦପ୍ରମୋଦ ତଥା କ୍ରୀଡା ବ୍ୟବସ୍ଥା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।

hiring

ସେହିପରି ମେଡିକାଲ କଲେଜ ତଥା ହସ୍ପିଟାଲକୁ ଅଟୋ ଓ ଟ୍ୟାକ୍ସି ଯେପରି ଠିକ୍ ଭାବରେ ଚଳପ୍ରଚଳ କରିପାରିବ ସେ ନେଇ ଉପଯୁକ୍ତ ବ୍ୟବସ୍ଥା କରିବା ସହ ଅଟୋ ଓ ଟ୍ୟାକ୍ସି ଷ୍ଟାଣ୍ଡବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶଥାଉକି, ଗତବର୍ଷ ଡିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । କଲେଜରେ ୧୦୦ଟି ସିଟ୍ ଓ ହସ୍ପିଟାଲରେ ୫୦୦ଟି ଶଯ୍ୟା ରହିବ । ପ୍ରକଳ୍ପ ବାବଦରେ ୪ଶହ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩୦ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏହି ଉଚ୍ଚସ୍ତରୀୟ ଟିମ୍ ମେଡିକାଲ ପରିଦର୍ଶନ ପରେ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ବାଳିକା ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ମୋ ସ୍କୁଲ ଅଭିଯାନରେ ଏହି ଦୁଇଟି ଅନ୍ତର୍ଭୁକ୍ତ ହୋଇଛି । ଗସ୍ତ ଅବସରରେ ଉଭୟ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଶିକ୍ଷକଶିକ୍ଷୟତ୍ରୀ, ଅଲୁମୋନି, ସ୍କୁଲ ମ୍ୟାନେଜମେଣ୍ଟ କମିଟି ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ । ମତ ବିନିୟମ ପରେ ସ୍ମାଟ୍ କ୍ଲାସ ରୁମ , ଲାଇବେରୀ, ଭିତ୍ତିଭୂମି ବିକାଶ, ଖେଳକୁଦ ସୁବିଧା ଭଳି ବିକାଶମୂଳକ ବ୍ୟବସ୍ଥା କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ଉଚ୍ଚସ୍ତରୀୟ କମିଟି ସହ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି, ଏସପି ଭିନିତ୍ ଅଗୱାଲ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ୱରଞ୍ଜନ ନାଏକ, ଉପ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ବିଡିଓ ଶାନ୍ତୁନୁ କୁମାର ନାୟକ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉଚ୍ଚସ୍ତରୀୟ କମିଟିର ସ୍କୁଲ ପରିଦର୍ଶନ ସମୟରେ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ, ନାରାୟଣ ପ୍ରଧାନ,ସଂଗ୍ରାମ ପଟ୍ଟନାୟକ,ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଊପସ୍ଥିତ ରହି କୋଭିଡ-୧୯ ନିୟମ ପାଳନ ପୂର୍ବକ ସ୍ୱାଗତ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − fourteen =