ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୩୭ ନକ୍ସାପାଲି ଗାଁର ଏକ ପୋଖରୀର ଉଦ୍ଧାର ଓ ନିର୍ମାଣ କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ତେଜିଛି । ଗ୍ରାମବାସୀଙ୍କଠାରୁ ଏବିଷୟରେ ଅଭିଯୋଗ ପାଇଲା ପରେ ରେଙ୍ଗାଲି ବିଧାୟକ ନାଉରି ନାଏକ ସମୃଦ୍ଧ ବିଭାଗୀୟ ଯନ୍ତ୍ରୀଙ୍କୁ ନେଇ ନିର୍ମାଣଧୀନ କାର୍ଯ୍ୟ ତଦାରଖ କରିବାକୁ ପହଞ୍ଚିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ଏହି ବଡବନ୍ଧର କାର୍ଯ୍ୟ ସଂପାଦନର ତାରିଖ ମାତ୍ର ଆଉ କିଛିଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ୧୭ଲକ୍ଷ ଟଙ୍କାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଅଧାପନ୍ତରିଆ ଅବସ୍ଥାରେ ପଡିରହିଥିବା ନିର୍ମାଣ କାର୍ଯ୍ୟରେ ଲୁହାଛଡ କଂକ୍ରିଟରୁ ବାହାରି ପଡିଛି । ସେଠାକୁ ଗାଧୋଇବାକୁ ଯାଉଥିବାବେଳେ ଗ୍ରାମବାସୀ ଏଥିରେ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହେଉଛନ୍ତି ।
ମହାନଗର ନିଗମର କନିଷ୍ଠଯନ୍ତ୍ରୀ ଇନ୍ଦ୍ରମଣି ସାହୁ ବିଧାୟକ ଶ୍ରୀ ନାଏକଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଲା ପରେ ଗ୍ରାମବାସୀ ଉକ୍ତ କାର୍ଯ୍ୟର ଗୁଣାବତ୍ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଓ ନିମ୍ନମାନର କାର୍ଯ୍ୟ ବିଷୟରେ ଅଭିଯୋଗ ମଧ୍ୟ କରିଥିଲେ । ଅର୍ଦ୍ଧନିର୍ମିତ କାର୍ଯ୍ୟକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ସଠିକ ଭାବେ ଓ ଉଚିତ ମାନର କାର୍ଯ୍ୟ କରିବାପାଇଁ ଉପସ୍ଥିତ ବିଧାୟକ ଓ ଗ୍ରାମବାସୀ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଜପା ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ ସାହୁ, ବିଜେପି କ୍ଷେତ୍ରୀୟ ପ୍ରବକ୍ତା ମାନଓ ରଞ୍ଜନ ବକ୍ସି, ମଣ୍ଟୁ ଅଗ୍ରୱାଲ, ଦେବାଶିଷ ବେହେରା, ବବ୍ରୁବାହନ ବେହେରା, ହାଡୁ ପ୍ରଧାନ, ଦେବନ୍ତ ବେହେରା, ଅନୀଲ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।