ବାଲିଗୁଡ଼ା: ଆଧାର କାର୍ଡ ସଂଶୋଧନ କରିବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ବିଲକୁ ଖସିଲା ଅଟୋ । ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଆଜି ସକାଳେ ବୁଡାଗୁଡ଼ା ଅଞ୍ଚଳରୁ କିଛି ଲୋକ ଆଧାର କାର୍ଡ ସଂଶୋଧନ କରିବାକୁ ଏକ ଅଟୋରେ ସିମନବାଡ଼ି ଯାଉଥିବା ବେଳେ ବୁଡାଗୁଡ଼ା ପଞ୍ଚାୟତର ନେଡିପାଙ୍ଗ ନିକଟରେ ଭାରସାମ୍ୟ ହରାଇ ଏକ ବିଲ ତଳକୁ ଖସି ପଡ଼ିଥିଲା ଅଟୋ । ଅଟୋରେ ବସିଥିବା ଛୋଟ ଛୁଆ, ଗର୍ଭବତୀ ମହିଳା, ବୃଦ୍ଧ,ବୃଦ୍ଧା ସମସ୍ତ ଯାତ୍ରୀ ଆହତ ହୋଇଥିବାବେଳେ ଦୁଇଜଣ ଗୁରୁତର ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ବୁଡାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା ପରେ ଦୁଇଜଣ ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।