ଜିଲ୍ଲାପାଳ ତଦାରଖ କଲେ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା

0 171

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନା ଆଜି ସ୍ଥାନୀୟ କଲେଜଛକ ଠାରେ ଏକ କାର୍ଯ୍ୟଯୋଜନା ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିଛନ୍ତି ଯେ ସେଠାରୁ ଏଲଏନ ଗଳି ଦେଇ ଟାଙ୍ଗନା ନାଳା ପର୍ଯ୍ୟନ୍ତ ବନ୍ୟାଜଳ କିପରି ସୁରୁଖୁରୁରେ ନିଷ୍କାସିତ ହୋଇ ପାରିବ । ତାଙ୍କ ସହିତ ଅଧିନସ୍ଥ ବିଭାଗୀୟ ଅଧିକାରୀ ଓ ସେମାନଙ୍କ କାରଭିଡ ଦେଖି ସକାଳୁ ସ୍ଥାନୀୟ ନିବାସୀ ଉତ୍ସୁକତାର ସହିତ ଜମା ହୋଇ ଥିଲେ । ସମ୍ବଲପୁର ମହାନଗର ନିଗମ ଗଠନ ପରଠାରୁ ଆଜି ୬ବର୍ଷରୁ ଉର୍ଦ୍ଧ୍ୱ କାଳ ହେଲା ଏହାର ନିର୍ବାଚନ ହୋଇ ନାହିଁ ଓ ଏପର୍ଯ୍ୟନ୍ତ ଏହା ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇ ଆସୁଛି ଓ ଏହାର ନିଗମାଧ୍ୟକ୍ଷା ନିୟୁକ୍ତ ସତ୍ୱେ ଜିଲ୍ଲାପାଳ ସ୍ୱୟଂ ଏହାର ମୁଖ୍ୟ ପ୍ରଶାସକ ରହିଛନ୍ତି । ଏଣୁ ଏହା ତାଙ୍କର ଗୁରୁଦାୟିତ୍ୱ ଯେ ଜନସାଧାରଣଙ୍କ ସୁବିଧା ଅସୁବିଧା ବିଷୟରେ ସେ ନିଜେ ବୁଝିବେ । ପୁଣି ଏଲଏନ ମିଶ୍ର ଗଳି ହେଉଛି ଏହି ମହାନଗର ନିଗମର ଏକ ଘନ ଜନ ବସତି ପୂର୍ଣ୍ଣ ଅଂଚଳ ଓ ସେଠାରେ ଏକ ପ୍ରତିଷ୍ଠିତ ଘରୋଇ ନର୍ସିଂହୋମ ଓ ଧର୍ମଶାଳା ମଧ୍ୟ ରହିଛି । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ସେଠାକାର ରାସ୍ତାକଡ ନାଳୀ ସୁଚାରୁରୂପେ କାମ କରୁନାହିଁ ଓ ଦୈନନ୍ଦିନ ବ୍ୟବହୃତ ନିଷ୍କାସନ ହୋଇ ପାରୁନାହିଁ । ଏପରି ସ୍ଥଳେ ସାମାନ୍ୟ ବର୍ଷାରେ ଏହା ଜଳାର୍ଣ୍ଣବ ହୋଇ ଥାଏ । ପୁଣି ଏହାର ତଳମୁଣ୍ଡରେ ଥିବା ଟାଙ୍ଗନାନାଳା ଟି ଜବରଦଖଲ ଯୋଗୁଁ ଜଳ ନିଷ୍କାସନ ରେ ବାଧା ସୃଷ୍ଟି କରେ । ସମ୍ବଲପୁରରେ ବେଶି ବର୍ଷା ହେଲା ଅର୍ଥ ଏଲ ଏନ ମିଶ୍ର ଗଳି ନିଶ୍ଚୟ ବୁଡିବ । ସେଠାକାର ସ୍ଥାନୀୟ ନିବାସୀମାନେ ଏ ବିଷୟରେ ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି ଓ ନିଗମ ପକ୍ଷରୁ ଏହି ନାଳୀ ନିର୍ମାଣ ପାଇଁ ଟେଣ୍ଡର ଡକା ଯାଇଛି, ହେଲେ ତିନିଥର ଏହା ବାତିଲ ମଧ୍ୟ କରା ଯାଇଛି । ଏବର୍ଷ ହାରାହାରି ଠାରୁ ଅଧିକ ବର୍ଷାର ପୂର୍ବାନୁମାନ ଯୋଗୁଁ ସେଠାରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଓ ପ୍ରଶାସନ ଊପରେ ଚାପ ଦିଆଯାଉଛି ଯେ କିଛି ଅଘଟଣ ହେବା ଆଗରୁ ସେଠାରେ କିଛି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରାଯାଉ । ହେଲେ ବାହାଘର ସମୟରେ ବାଇଗଣ ରୁଆ ପରି ମାନସୁନ ଆଗମନ ପରେ ଏହାର କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

18 − five =