ହାତୀ ଆକ୍ରମଣରେ ମହିଳା ମୃତ

0 101

ସମ୍ବଲପୁର :ସ୍ଥାନୀୟ ନାକଟିଦେଉଳ ବନାଞ୍ଚଳରେ ହାତୀପଳଙ୍କ ଉପଦ୍ରବ ବଢିଚାଲିଛି ଓ ଗତକାଲି ଜଣଙ୍କ ମୃତ୍ୟୁ ସହିତ ଏହା ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ମୃତ୍ୟୁ ହୋଇଥିବାରୁ ବଣ ପାଖ ଗାଁ ଲୋକଙ୍କ ନିଦ ହଜି ଯାଇଛି । ଗତକାଲି ଘଟଣାରେ ମୃତ ମହିଳା ଜଣଙ୍କ ଚିହ୍ନଟ ପ୍ରମିଳା ଦେହୁରୀ (୫୫) ରୂପେ କରାଯାଇଛି ଓ ସେ ସେଠାକାର ହିତସରା ଗାଁ ନିବାସୀ ମିତ୍ରଭାନୁ ଦେହୁରୀଙ୍କ ସ୍ତ୍ରୀ ବୋଲି ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ପ୍ରମିଳା ସକାଳୁ ନିଜ ଖେତକୁ ଯାଇଥିଲେ ଓ ସେହି ସମୟରେ ସେଠାରେ ଏକ ଦନ୍ତାହାତୀ ର ହାବୁଡ଼ରେ ପଡିଯାଇଥିଲେ । ହାତୀକୁ ଦେଖିଲା କ୍ଷଣି ସେ ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କଲେ କିନ୍ତୁ ଦନ୍ତାହାତୀଟି ତାଙ୍କୁ ଦୌଡାଇ ଶୁଣ୍ଢରେ ଧରି କଚାଡି ଦେଇଥିଲା ଓ କିଛି ଦୂର ଘୋଷାରି ନେଲା । ଦନ୍ତାହାତୀ ର ଏହି ଆକ୍ରମଣ ଫଳରେ ତାଙ୍କର ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇ ଯାଇଥିଲା, ବୋଲି ଗାଁ ର ଲୋକମାନେ କହିଛନ୍ତି । ଏହି ଘଟଣା ବିଷୟରେ ଶୁଣି ନାକଟିଦେଉଳ ଥାନାଧିକାରୀ ଇସ୍ମାଇଲ ଏକ୍କା, ଫରେଷ୍ଟ ରେଞ୍ଜର ଅଶ୍ବିନୀ ବେହେରା ଓ ଫରେଷ୍ଟର ସୌମ୍ୟରଞ୍ଜନ ଖିଲାରୀ ପ୍ରମୁଖ ସେଠାରେ ପହଞ୍ଚି ଆବଶ୍ୟକ ତଦନ୍ତ କରିଥିଲେ । ମୃତଦେହକୁ ଜବତ କରି ପୁଲିସ ତାହାକୁ ପୋଷ୍ଟମାର୍ଟମ ପାଇଁ ପଠାଇ ଦେଇଥିଲେ । ସେମାନଙ୍କ ସମ୍ମୁଖ ରେ ଗାଁ ଲୋକେ ଏକତ୍ରିତ ହୋଇ ସେଠାରେ ଏପରି ବାରମ୍ବାର ହାତୀ ଉପଦ୍ରବ ହେବା ସହିତ ପ୍ରାଣହାନି ବିଷୟରେ ଆପତ୍ତି ଅଭିଯୋଗ କରିଥିଲେ । ମୃତକ ଙ୍କ ପରିବାର କୁ ପ୍ରାପ୍ୟ କ୍ଷତିପୂରଣ ଯଥାଶୀଘ୍ର ଦିଆଯିବା, ହାତୀପଳଙ୍କ ଗତିବିଧି ଉପରେ ନଜରରଖିବା ପାଇଁ ଓ୍ବାଚଟାଓ୍ବର ନିର୍ମାଣ ଓ ଚିହ୍ନିତ ବଣର ଚାରି ପଟେ ଗଭୀର ନାଳ(ଟ୍ରେଞ୍ଚ) ନିର୍ମାଣ ବଳରେ ବଣ ଭିତରୁ ହାତୀଙ୍କ ଆସିବା ଉପରେ ନିୟନ୍ତ୍ରଣ ଆଦି କିଛି ଦାବି ମଧ୍ୟ ସେଠାରେ ଉତ୍ଥାପନ କରାଯାଇଛି ।

hiranchal ad1
Leave A Reply

Your email address will not be published.

three × three =