କରୋନା ସଂକ୍ରମଣ ପୁଣି ଊର୍ଦ୍ଧ୍ୱଗାମୀରୁ ଚିନ୍ତା: ଆଜି ପୁଣି ନୂଆ ୫୦ଜଣ ପଜିଟିଭ ଚିହ୍ନଟ

0 120

ସମ୍ବଲପୁର : ଏଠାରେ କରୋନା ସଂକ୍ରମଣ କିଛିଦିନ ନିମ୍ନଗାମୀ ରହିବାପରେ ଆଜି ହଠାତ ଊର୍ଦ୍ଧ୍ୱଗାମୀ ହେବାରୁ ଚିନ୍ତା ବଢୁଛି । ସେପଟେ ସ୍ଥିତି ଯେତେ ନିୟନ୍ତ୍ରଣ ରେ ଥିଲେ ମଧ୍ୟ ମୃତ୍ୟୁହାର ନିରନ୍ତର ବଢିଚାଲିଛି, ଯାହାକି ଚିନ୍ତା ଆହୁରି ବଢାଉଛି । ବର୍ତ୍ତମାନ ପାର୍ବଣପର୍ବ ସମୟରେ ସଂକ୍ରମଣହାର ସାମାନ୍ୟ କମି ଯିବାରୁ ସ୍ୱାଭାବିକ ଭାବେ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ଏହାର ଫଳସ୍ୱରୂପ ଦୋକାନ ବଜାରରେ ଯଥେଷ୍ଟ ଜନଗହଳି ବଢିଯାଇଛି ଓ ଲୋକେ ମଧ୍ୟ କରୋନା କଟକଣାକୁ ମଧ୍ୟ ଭୁଲି ଯାଇଛନ୍ତି, ଏଣୁ ଏହାର ପରିଣାମ ସ୍ୱରୂପ ସଂକ୍ରମଣ ବଢିଯାଇଛି, ଏପରି କିଛି ଆଶଙ୍କା କରାଯାଉଛି । ଏଣୁ ଯେକୌଣସି ମତେ କରୋନା କଟକଣା ଅବ୍ୟାହତ ରଖିବା ପାଇଁ ଯେତେ ଆକୁଳ ନିବେଦନ କଲେ ମଧ୍ୟ, ତାହାର କିଛି ପ୍ରଭାବ ଦେଖା ଯାଉନାହିଁ । ଏଭଳି ପରିସ୍ଥିତିକୁ ନେଇ ମାତ୍ର ବୁଦ୍ଧିଜୀବୀ କାହିଁକି, ପ୍ରଶାସନ ମଧ୍ୟ ନିରୁପାୟ ହୋଇ ଯାଇଛି । ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ ପଜିଟିଭ ଭାବରେ ୫୦ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲା ସମୁଦାୟ କରୋନା ସଂକ୍ରମଣ ସଂଖ୍ୟା ଏପର୍ଯ୍ୟନ୍ତ ୭୬୯୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୯୩ ପ୍ରତିଶତ ଅର୍ଥାତ ୭୦୯୭ ଜଣ ସୁସ୍ଥହୋଇ ଘରକୁ ଫେରିବା ସହିତ ୨୯ ଜଣଙ୍କ ମୃତ୍ୟୁ ହୋଇଛି, ଯାହାକି ୦.୩୮ ପ୍ରତିଶତ ରହିଛି । ଏହା ବ୍ୟତୀତ ବାକି ୬.୭୩ ପ୍ରତିଶତ ଅର୍ଥାତ ୫୬୪ ଜଣ ସକ୍ରିୟ ରହିଛନ୍ତି ଓ ସେମାନଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଜାରି ରହିଛି । ସୁସ୍ଥତାହାରରେ ନିରନ୍ତର ବୃଦ୍ଧି ସହିତ ସକ୍ରିୟତାହାରରେ ହ୍ରାସକୁ ଦୃଷ୍ଟିରେ ରଖି ବୁଦ୍ଧିଜୀବୀ ଆଶା କରିଛନ୍ତି ଯେ ସମ୍ବଲପୁର ଜିଲ୍ଲାକୁ ଗ୍ରୀନଜୋନରେ ଘୋଷଣା କରାଯାଇପାରେ, କିନ୍ତୁ ପ୍ରଶାସନିକ ସ୍ତରରେ ଏପରି କିଛି ନିଷ୍ପତ୍ତି ନେବାର କୌଣସି ସୂଚନା ମିଳି ପାରିନାହିଁ ।

hiranchal ad1
Leave A Reply

Your email address will not be published.

2 × one =