ବାଲିଗୁଡ଼ା,୧୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ମାଡ଼ିବସିଲା ପୋଲିସ୍ । ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ କରିଛି ପୋଲିସ୍ । ରେବିଙ୍ଗିଆ ନିକଟ ଦୁଲିକିଆ ଘାଟିରୁ ୬୦୨କେଜି ୯୬୦ ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ଘଟଣାରେ ଦୁଇଜଣକୁ ଗିରଫ କରିଛି ପୋଲିସ୍ । ଗଞ୍ଜେଇ ଚୋରାଚାଲାଣ ପାଇଁ ଦୁଲିକିଆ ଘାଟିରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ୍ । ସୂଚନା ମୁତାବକ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ଅଧ୍ୟକ୍ଷତାରେ ସବ୍ଇନ୍ସପେକ୍ଟର ରଚିତା ମାଡ଼କାମି ଓ ଶାନ୍ତନୁ ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ୍ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ଉକ୍ତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଗିରଫ ଦୁଇଜଣ ବୃଷବ ପ୍ରଧାନୀ ଓ ସୋମନାଥ ମଲ୍ଲିକ ହୋଇଥିବା ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଅଞ୍ଚଳରେ ଦିନକୁଦିନ ଗଞ୍ଜେଇ ମାଫିଆଙ୍କ ବଢ଼ୁଥିବାବେଳେ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବାକୁ ପୋଲିସ୍ ପକ୍ଷରୁ ଯୋରଦାର ଉଦ୍ୟମ ଜାରି ରହିଥିବା କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ ।