ବାଲିଗୁଡ଼ା,୩/୫: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତଥା ବ୍ରାହ୍ମଣୀଗାଁ ପାଇଁ ଗର୍ବ ଆଉ ଗୌରବ ଆଣିଥିବା ରୁନିତା ପ୍ରଧାନଙ୍କୁ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରୁନିତାଙ୍କ ଆସିବା ଖବରପାଇ ଗ୍ରାମବାସୀ ସ୍ଥାନୀୟ ରକ୍ତପଟା ଛକ ଠାରେ ଏକତ୍ରିତ ହୋଇଥିଲେ । ସେଠାରେ ତାଙ୍କୁ ଫୁଲମାଳ ଓ ଉତ୍ତରୀୟ ପ୍ରଦାନ କରି ଏକ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରି ସ୍ଥାନୀୟ ଚର୍ଚ୍ଚରେ ପହଞ୍ଚି ସେଠାରେ ପ୍ରଭୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଚର୍ଚ୍ଚର ମୂଖ୍ୟ ଯାଜକ ରବି ସଭାସୁନ୍ଦର ତାଙ୍କ ଭବିଷ୍ୟତ ଜୀବନରେ କୃତକାର୍ଯ୍ୟ ହେବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପରେ ଉକ୍ତ ପଟୁଆର ଶୋଭାଯାତ୍ରାରେ ବଡସାହିସ୍ଥିତ ନିଜ ବାସଗୃହ ପର୍ଯ୍ୟନ୍ତ ଯାଇଥିଲେ । ପ୍ରକାଶଥାଉକି ରୁନିତା ପ୍ରଧାନ ତାଙ୍କ କଠିନ ଅଧ୍ୟବସାୟ ବଳରେ ଗତ ୨୦୨୧ ମସିହା ଉତ୍କଳ ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିଶ୍ୱ ବିଦ୍ୟାଳୟ ସ୍ତରରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ସେ କନ୍ଧମାଳ ଜିଲ୍ଲାର ପ୍ରଥମ ଛାତ୍ରୀ ଭାବେ ଇତିହାସ ରଚିଛନ୍ତି, ଜିଲ୍ଲାର ଆଗାମୀ ଯୁବପିଢିଙ୍କ ପାଇଁ ଉଦାହରଣ ସାଜିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ ପିତାମାତା ଖୁସିବ୍ୟକ୍ତ କରିଥିବାବେଳେ ଗୁରୁଜନ, ସାଙ୍ଗସାଥି , ଗ୍ରାମବାସୀ ଓ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି । ଆଜିର ଏହି ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରୁନିତା ତାଙ୍କ ପିତାମାତା ଓ ସମସ୍ତ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଭବିଷ୍ୟତ ପ୍ରଶାସନିକ ଅଧିକାରୀ କ୍ଷେତ୍ରପାଇଁ ଚେଷ୍ଟା ଜାରିରଖିବେ ବୋଲି କହିଛନ୍ତି । ବ୍ରାହ୍ମଣୀଗାଁ ବଡ଼ସାହି ସଭାପତି କୁନୁ ନାୟକଙ୍କ ନେତୃତ୍ୱରେ ପ୍ରଶାନ୍ତ ନାୟକ, ସୁଦର୍ଶନ ନାୟକ, ବୁଦ୍ଧଦେବ ନାୟକ, ମଞ୍ଜୁ ନାୟକ, କ୍ଲାରା ନାୟକ ସମେତ ସମସ୍ତ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।