ଟ୍ରାକ୍ଟର ତଳେ ଚାପି ହୋଇ ୫ ବର୍ଷ ବୟସର ଶିଶୁ ମୃତ
ବାଲିଗୁଡା,୨୨/୬- କନ୍ଧମାଳ ଜିଲ୍ଲା ସାରଂଗଡ ଥାନା ଅନ୍ତର୍ଗତ ପାବୁରିଆ ନିକଟସ୍ଥ ତଳ ଡାମିଗୁଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ସକାଳେ ପ୍ରାୟ ୯.୩୦ ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର (ନମ୍ବର ଓଆର୧୨ଏ ୬୪୯୨) ଇଟାନେଇ ଯାଉଥିବା ସମୟରେ ହଠାତ୍ ଏକ ୫ବର୍ଷର ଶିଶୁ ସହନ ପ୍ରଧାନ ଟ୍ରାକ୍ଟର ସାମ୍ନାକୁ ଆସିଯାଇଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ଭାରସାମ୍ୟ ହରାଇଥିବା ବେଳେ ଶିଶୁ ଜଣକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ସହନକୁ ଟିକାବାଲି ବ୍ଲକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ସହନଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣା ସ୍ଥଳରେ ସାରଂଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଶିଶୁଟିର ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।