ନାବାଳିକା ମୃତ୍ୟୁ ମାମଲାକୁ ରାଜନୈତିକ ରୂପ ଦେଉଛି ବିଜେପି : ବିଜେଡ଼ି

0 117

ବାଲିଗୁଡ଼ା:କନ୍ଧମାଳ ଜିଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଏକ ସେବାଶ୍ରମରେ ସପ୍ତମ ଶ୍ରେଣୀ ପଢୁଥିବା ଜନୈକ ଛାତ୍ରୀ ଗର୍ଭବତୀ ହେବାପରେ ମୃତ ଶିଶୁ ଜନ୍ମ ଦେବା ଏବଂ ପରେ ମୃତ୍ୟୁବରଣ କରିବା ଘଟଣା ରାଜନୈତିକ ରୂପ ନେଉଛି । ରବିବାର ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆବାସିକ ବିଦ୍ୟାଳୟ ଗସ୍ତ କରି ତଥ୍ୟ ଅନୁସନ୍ଧାନ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପିଡିତାଙ୍କ ପରିବାର ସହ ସ୍ଥାନୀୟ ପୋଲିସକୁ ଭେଟିଥିଲା । ପରେ କନ୍ଧମାଳ ଜିଲାପାଳଙ୍କୁ ଭେଟି ଘଟଣା ପାଇଁ ଦାୟୀ ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଜେପି ନେତା । ତେବେ ଘଟଣାରେ ଶାସକ ବିଜୁ ଜନତା ଦଳର ନେତା ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ କରିଛି ବିଜେପି । ବିଜେଡି ନେତାଙ୍କ ସହ ସମ୍ପର୍କରେ ଥିବା ଜନୈକ ଠିକାଦାର ଏହି ଘଟଣାରେ ସ୍‌ଂପୃକ୍ତ ଥିବା ନେଇ ଗଣମାଧ୍ୟମ ରିପୋର୍ଟ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ଦଳ ।ବ ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି । ଏକ ସମ୍ବେଦନଶୀଳ ଘଟଣାକୁ ବିଜେପି ଜାଣିଶୁଣି ରାଜନୈତିକ ରୂପ ଦେବା ପାଇଁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ ସାହ । ଗତ ପଞ୍ଚାୟତ ନିର୍ବାଚନରେ ତୁମୁଡିବନ୍ଧ ବ୍ଲକରେ ବିଜୁ ଜନତା ଦଳ ବିପୁଳ ଭୋଟରେ ଜିଲା ପରିଷଦ ଆସନ ଜିତିବା କାରଣରୁ ବିଜେପି ଭୋକ ବିକଳରେ ତାଟିଆ କାମୁଡିବା ସଦୃଶ କାର୍ଯ୍ୟ କରୁଛି ବୋଲି ଶ୍ରୀ ସାହୁ କହିଛନ୍ତି । ଯୋଜନା ବଦ୍ଧ ଭାବରେ ସରକାରୀ ଦଳକୁ ବଦନାମ କରିବା ପାଇଁ ବିଜେପିର ଏହା ହୀନ ପ୍ରୟାସ ବୋଲି ଦଳୀୟ ନେତା ମାନେ କହିଛନ୍ତି । ନାବାଳିକା ଗର୍ଭବତୀ ମାମଲାରେ ଦୋଷୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି ଏବଂ ପ୍ରଶାସନ ମଧ୍ୟ ନିରପେକ୍ଷ ତଦନ୍ତ ଜାରୀ ରଖିଛି । ତେଣୁ ଘଟଣାକୁ ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ ବୋଲି ବିଜେଡି କହିଛି । ଅପରପକ୍ଷରେ, ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଆଉ କିଛି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା । ତେବେ, ବିଦ୍ୟାଳୟର ଯାହା ନିର୍ମାଣ କାର୍ଯ୍ୟ ଚାଲିଥିଲା ସେସବୁ କେବଳ ବାହାରେ, ଭିତରେ କୌଣସି କାମ ଚାଲି ନ ଥିଲା । ତେଣୁ ଏଥିରେ କୌଣସି ଠିକାଦାର ସଂପୃକ୍ତ ଥିବା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି କହିଛନ୍ତି ମଙ୍ଗଳ ଅଧିକାରୀ ।

hiranchal ad1
Leave A Reply

Your email address will not be published.

two + 6 =