ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି

0 83

ପୁରୀ : ଆଜି ଭାଦ୍ର-ଶୁକ୍ଳ ଦ୍ୱାଦଶୀ ତିଥି । ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଣୁ ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଉଠିବା ପରେ ପରେ ବାମନ ଜନ୍ମ ନୀତି ସମ୍ପାଦନ ହେବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ.୫.୦୦ ଟାରୁ ରାତ୍ର ଘ.୯.୦୦ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ସୁବର୍ଣ୍ଣ ନିର୍ମିତ ବାମନ ବିଗ୍ରହଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ, ନବବସ୍ତ୍ର, ଅଧିବାସ ହୋଇଥିବା ପବିତ୍ରା ଓ ଅଳଙ୍କାର ଆଦି ଲାଗି କରାଯାଏ । କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି ।
ସେପଟେ ଆଜି ହେଉଛି ପବିତ୍ର ସୁନିଆ ଉତ୍ସବ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ । ଏହି ଅବସରରେ ଆଜି ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଆଜିଠାରୁ ଗଜପତି ମହାରାଜାଙ୍କର ୬୫ ଅଙ୍କ ଆରମ୍ଭ ହେବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ “ସୁନିଆ’ ହେଉଛି ଓଡିଶାର ରାଜକୀୟ ନବବର୍ଷ । କାରଣ, ଏହିଦିନ ଓଡିଶାର ରାଜାମାନଙ୍କର ରାଜତ୍ୱର ନୂଆ ବର୍ଷ ଗଣନା ହୋଇଥାଏ । ଏବେ ରାଜତନ୍ତ୍ର ନ ଥିଲେ ମଧ୍ୟ ରାଜ ପରିବାରମାନଙ୍କରେ ଏ ପର୍ବ ପାଳିତ ହୋଇଆସୁଛି । ବିଶେଷକରି ଏହିଦିନ ଓଡିଶାର ଗଜପତି ମହାରାଜାଙ୍କର ନୂତନ ଅଙ୍କ ପ୍ରଚଳନ ଏକ ଉତ୍ସବ ରୂପେ ପାଳିତ ହେଉଛି । ଏହିଦିନ ରାଜା ବା ଜମିଦାରମାନଙ୍କର ଅଭିଷେକ ହୋଇଥାଏ । ପୁରୀ ଶ୍ରୀନଅରରେ ମଧ୍ୟ ଗଜପତି ମହାରାଜାଙ୍କର ଅଭିଷେକ ହୁଏ । ପୂର୍ବେ ଏହିଦିନ ରାଜକର୍ମଚାରୀ ଓ ପ୍ରଜାମାନେ ରାଜାଙ୍କୁ ଧନ, ରତ୍ନ ଆଦି ନାନା ଉପହାର ଦେବାର ବିଧି ବା ପରମ୍ପରା ପ୍ରଚଳିତ ଥିଲା । ତାହା ‘ସୁନିଆ ଭେଟି’ ଭାବରେ କୁହାଯାଏ ।

hiranchal ad1
Leave A Reply

Your email address will not be published.

thirteen − nine =