ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ,୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ

0 100

ଭୁବନେଶ୍ୱର,୨୧/୮- ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ । ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ । କାର୍ଯ୍ୟକ୍ରମକୁ ଭରଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ । ତାର ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ୱପ୍ନ ଓ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ । ପିଲାଙ୍କ ସ୍ୱପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା, ନବୀନ ଓଡିଶାର ଲକ୍ଷ୍ୟ । ଏହି ରୂପାନ୍ତରକୁ ନୂଆ ଓଡିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ଆହୁରି ମଧ୍ୟ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ସୂଚନା ଦେଇଥିଲେ । ୫-ଟି ଉପକ୍ରମ ବିଷୟରେ ସେ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତରଣ ହେଉଛି, ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍‌ ଉଦାହରଣ । ୫-ଟିର ପଞ୍ଚ ଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ, ଟ୍ରାନ୍ସପରେନସି, ଟ୍ରାନ୍ସଫର୍ମେସନ ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି । ଟେକ୍ନୋଲୋଜି ଆମକୁ ସ୍ମାର୍ଟ କ୍ଲାସ ରୁମ୍‌ ସୁବିଧା ଦେଇଥିବା ବେଳେ, ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେଉଛି ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପ୍ରଶାସନ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ସମସ୍ତେ ଏଥିପାଇଁ ମିଶି କାମ କରିଛନ୍ତି । ୫-ଟିର ତୃତୀୟ ଆଧାର ହେଉଛି ଟାଇମ । ଏ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି-ଶେରଗଡର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ମୁଁ ପ୍ରଶାସନକୁ ଟାର୍ଗେଟ ଦେଇଥିଲି । ୬ ମାସ ତଳେ କାମ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା । ଏହା ସମ୍ଭବ ହୋଇପାରିଲା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ । ୫-ଟିର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଧାରହେଲା ଟ୍ରାନ୍ସପରେନସି ବା ସ୍ୱଚ୍ଛତା । ସ୍କୁଲ ମାନଙ୍କରେ ଯାହାକିଛି ପରିବର୍ତ୍ତନ ଆସିଛି, ଲୋକଙ୍କ ସହ ଆଲୋଚନା କରି କରାଯାଇଛି । ଆଉ ଗୋଟିଏ ବିଷୟ ହେଲା ପିଲାମାନଙ୍କ ପାଇଁ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ଉପଲବ୍‌ଧତା । ଏସବୁ କିଛି ଆଣିପାରିଛି ରୂପାନ୍ତର ଏବଂ ଯାହାକି ସମସ୍ତେ ଦେଖି ପାରୁଛନ୍ତି ଓ ଅନୁଭବ ମଧ୍ୟ କରିପାରୁଛନ୍ତି । ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ଏକ ବଡ ପ୍ରେରଣା । ଏହା ସାରା ରାଜ୍ୟରେ ମଧ୍ୟ ସମ୍ଭବ । ଗଞ୍ଜାମରେ ଏହାର ସଫଳତା ହେଉଛି ଗୋଷ୍ଠୀର ଅଂଶଗ୍ରହଣ । ଆପଣ ଗଞ୍ଜାମରେ ଯଦି କିଛି କାମ ପାଇଁ ଏକ ଲକ୍ଷ ଟଙ୍କା ଦେବେ, ତେବେ ସେମାନେ ଆପଣଙ୍କ ଦୁଇ ଲକ୍ଷ ଟଙ୍କାର କାମ କରି ଦେଖାଇବେ । ସେହିପରି ୫ ଲକ୍ଷ ଦେଲେ, ୮ ଲକ୍ଷ ଟଙ୍କାର କାମ କରି ଦେଖାଇବେ । ଗଞ୍ଜାମର ଏହି ଗୋଷ୍ଠୀ ଚେତନା ହିଁ ଗଞ୍ଜାମର ସବୁଠାରୁ ବଡ ଶକ୍ତି ଓ ସଫଳତା । ସାରା ରାଜ୍ୟରେ ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ମିଳିମିଶି କାମ କଲେ ତାହା ହିଁ ଆଣିବ ଓଡିଶାର ପ୍ରକୃତ ରୂପାନ୍ତର । ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦ ଜଣ ବିଧାୟକ ଓ ମନ୍ତ୍ରୀ ଭାଗ ନେଇଥିଲେ । ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

nine + 7 =