ସ୍ୱଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା : ନବୀନ

0 89

ପୁରୀ: ବିଜେଡି ଏବେ ଆଉ ଦଳ ନୁହଁ,ଏକ ସାମାଜିକ ଆନ୍ଦୋଳନ । ଓଡ଼ିଶାର ଉନ୍ନତି ସହ ସ୍ୱଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମହିଳା ସଶକ୍ତିକରଣକୁ ଆମ ଦଳ ଓ ସରକାର ସର୍ବାଧିକ ଗୁରୁତ୍ୱ ଦେଇଆସୁଛି । ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଆମକୁ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଏ ସୁଯୋଗ ଦେଇଥିବାରୁ ଆମେ ରାଜ୍ୟବାସୀଙ୍କ ନିକଟରେ ଋଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଆମ ପାଇଁ ବଡ଼ ପୁଞ୍ଜି । ଯେଉଁମାନେ ଓଡିଶାର ବିକାଶ ଚାହାଁନ୍ତି, ସେମାନେ ବିଜେଡିରେ ମିଶନ୍ତୁ । ତେଣିକି ସେମାନେ ଯେଉଁ ବୃତ୍ତିରେ ଥାଆନ୍ତୁ । ଜାତୀୟଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ହେଲେ ଓଡିଶା ନୁହେଁ । ବିଜେଡିର ୨୬ତମ ପ୍ରତିଷ୍ଠା ଦିବସରେ ପୁରୀଠାରେ ଆୟୋଜିତ ଉତ୍ସବରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ଅବସରରେ ସେ ନୂଆବର୍ଷର ଶୁଭକାମନା ମଧ୍ୟ ଜଣାଇଛନ୍ତି ।

hiring


ସେ କଡିଛନ୍ତି ଯେ ଆପଣମାନେ ଆଦିବାସୀ,ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ । ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ୱତନ୍ତ୍ର ପରିଚୟ ଦେଇଛି । ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ । ମା’ମାନେ ଆସନ୍ତୁ ଓ ଓଡିଶାର ଦାୟିତ୍ୱ ନିଅନ୍ତୁ । ଆମ ସ୍ୱପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ । ଓଡ଼ିଶା ଅତୀତରେ କେଉଁଠି ଥିଲା, ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ୱ ଜାଣିଛି । ଓଡ଼ିଶା ବିକାଶରେ ବ୍ରତୀ ବିଜେଡି । ସାରା ଓଡ଼ିଶା ପାଇଁ ଉତ୍ସର୍ଗୀକୃତ ବିଜେଡି । କୌଣସି ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ଉନ୍ନତି ପାଇଁ କାମ କରୁନି । ମାଲକାନଗିରିରୁ ମୟୂରଭଞ୍ଜ, ବରଗଡ଼ରୁ ପୁରୀ ଓଡ଼ିଶା ଓ ଓଡ଼ିଶାର ଲୋକଙ୍କ ପାଇଁ ବିଜେଡି କାମ କରିଆସୁଛି । ଆଉ ୧୨ବର୍ଷ ପରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ । ଦେଶରେ ଓଡ଼ିଶାକୁ ହକ୍‌ ଦେବା ପାଇଁ ବିଜେଡି ପ୍ରତିବଦ୍ଧ । ତେଣୁ ଯେକୌଣସି ସ୍ତରରୁ ପେଶାଦାର ବ୍ୟକ୍ତି ଯାଏଁ ଯୁବପୀଢ଼ି,ବିଶେଷ କରି ମାଆମାନେ ବିଜେଡିରେ ଯୋଗଦେଇ ଏହାକୁ ସଶକ୍ତ କରାନ୍ତୁ । ସେମାନଙ୍କ ସହଯୋଗରେ ବିଜେଡି ୨୫ କି ୫୦ବର୍ଷ ନୁହେଁ ଶହେ ବର୍ଷ ଯାଏଁ ଓଡ଼ିଶାର ସେବା କରିଚାଲିବ । ୨୫ବର୍ଷ ହେଲା ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ଦେଶର ସବୁଠୁ ସଫଳତମ ଆଞ୍ଚଳିକ ଦଳ ଭାବେ ବିଜେଡି ଉଭା ହୋଇଛି । ଏହା ପଛରେ ଅନେକ କାରଣ ରହିଛି । ସେବାକୁ ଏଜେଣ୍ଡା କରି ବିଜେଡି ଆଗେଇ ଚାଲିଛି । ଓଡ଼ିଶାର ସ୍ୱାଭିମାନ, ସଂସ୍କୃତି, ଭାଷା ତଥା ସବୁ ବର୍ଗର ଉନ୍ନତି ପାଇଁ ବିଜେଡି କାମ କରୁଛି । ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ମାଧ୍ୟମ କରି ତାଙ୍କ ଦିଗଦର୍ଶନ ଦେଇଥିବା ରାସ୍ତାରେ ଆଗେଇ ଚାଲିଛି । ବିଜୁ ପଟ୍ଟନାୟକ କେବଳ ନେତା ନଥିଲେ, ସେ ଜଣେ ପ୍ରକ୍ରିୟା ଥିଲେ । ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁ ଓଡ଼ିଶାର ସ୍ୱାଭିମାନ ପାଇଁ ଉତ୍ସର୍ଗୀକୃତ ଥିଲା । ବିଜୁଙ୍କ ଆଦର୍ଶରେ ଏବେବି ଆଗେଇ ଚାଲିଛି ବିଜେଡି । ସ୍ୱଚ୍ଛ ଓ ନିର୍ମଳ ଶାସନ ପାଇଁ ବିଜେଡି ସବୁଠି ଗ୍ରହଣୀୟ ହୋଇଥିବା ବେଳେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଆସିଛି । ମାଆ ମାନଙ୍କର ସଶକ୍ତିକରଣ, ପରିବାର, ରାଜ୍ୟ ତଥା ଦେଶର ସଶକ୍ତିକରଣ । ଏହାର ଉଦାହରଣ ହେଉଛି ମିଶନ ଶକ୍ତି । ୨୦ବର୍ଷ ତଳେ ବିପର୍ଯ୍ୟୟ ମୁକାବିଲାର ସାମନା କରି ପାରୁନଥିବା ଓଡ଼ିଶାର ମୁକାବିଲା ଫର୍ମୂଲା ଏବେ ବିଶ୍ୱରେ ପ୍ରଶଂସିତ । ଅନ୍ୟ ରାଜ୍ୟକୁ ଚାଉଳ ପଠାଇବାରେ ଓଡ଼ିଶା ସକ୍ଷମ । କୋଭିଡ୍‌ ସମୟରେ ଟେଷ୍ଟରୁ ଟ୍ରିଟମେଣ୍ଟ ସବୁ ଫ୍ରି କରିବା ସହ ଦେଶକୁ ଅକ୍ସିଜେନ୍‌ ଯୋଗାଇଥିଲା ଓଡ଼ିଶା । ପ୍ରତିଟି ଜୀବନ ମୂଲ୍ୟବାନ ମନେକରି ଗରିବଙ୍କ ମାଗଣା ଚିକିତ୍ସା ପାଇଁ ହୋଇଛି ବିଏସକେୱାଇ ଯୋଜନା । ୫ଟି ଓ ମୋଣ୍ଟ ସରକାର ଫର୍ମୂଲା ଦେଶ, ବିଦେଶରେ ଆଦର ଲାଭ କରିଛି । ଏସବୁ ପଛରେ କର୍ମୀଙ୍କ ଭୂମିକାକୁ ପ୍ରଶଂସା କରିବା ସହ ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ଆଗେଇ ନେବାକୁ ନବୀନ ଆହ୍ୱାନ ଦେଇଛନ୍ତି ।


ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟା ରେ ପୁରୀ ତାଳବଣିଆ ହେଲିପ୍ୟାଡ଼ ଠାରେ ପହଂଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ସଭାସ୍ଥଳ କୁ ପାଛୋଟି ନିଆଯାଇଥିଲା । ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀପ୍ରସାଦ ମିଶ୍ରଙ୍କ ସହ ଦଳର ଛାମୁଆଁ ସଂଗଠନର ପ୍ରମୁଖ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି ଓ ପ୍ରଣବ ପ୍ରକାଶ ଦାସ ମଞ୍ଚାସୀନ ହୋଇଥିଲେ । ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଆସିବା ପୂର୍ବରୁ ବିଜେଡିର ବରିଷ୍ଠ ନେତୃବୃନ୍ଦ ମାନେ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ସହ ରାଜ୍ୟର ବୃହତର ସ୍ୱାର୍ଥ ପାଇଁ ଦଳର କର୍ମକର୍ତ୍ତା ଓ ନେତାମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ପୁରୀ ତାଳବଣିଆ ଠାରେ ଆୟୋଜିତ ଏହି ମହାସମାବେଶରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ନେତୃ ବୃନ୍ଦ, ଛାମୁଆ ସଂଗଠନର ମୁଖ୍ୟ, ମନ୍ତ୍ରୀ ଓ ସାଂସଦ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ତାର ସମସ୍ତ ନିର୍ବାଚିତ କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।
ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପୁରୀରେ ରାଜ୍ୟର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ସମସ୍ତ ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତ ସ୍ତରର ନେତା ଓ କର୍ମକର୍ତ୍ତାମାନଙ୍କୁ ଦେଖିବାକୁ ମିଳିଥିଲା । ଆଗାମୀ ୨୦୨୪ ରେ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀମାନେ ଏହି ଦିବସକୁ ଉତ୍ସାହର ସହ ମହାସମାରୋହରେ ଏହାକୁ ପାଳନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କର୍ମୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ସହ ୧୦୦ ରୁ ଉର୍ଦ୍ଧ୍ୱ ଅଧିକାରୀ ମୁତୟନ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

fifteen − 11 =