ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ,ପାରାଦ୍ୱୀପ-ହରିଦାସପୁର ରେଳ ଲାଇନରେ ପାସେଞ୍ଜର ସେବା ଦାବି

0 126

ଭୁବନେଶ୍ୱର: ଓଡିଶାର ବିଜେଡି ସାଂସଦମାନେ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଦିଲ୍ଲୀରେ ଭେଟି ଓଡିଶାରେ ବର୍ଷବର୍ଷ ଧରି ରହିଥିବା ରେଳ ସମସ୍ୟା ଏବଂ କେତେକ ନିର୍ଦ୍ଦିଷ୍ଟ ରେଳସେବା ଆରମ୍ଭ କରାଯିବା ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଏକ ପତ୍ର ପ୍ରଦାନ କରିଛନ୍ତି । ଆଲୋଚନା ସମୟରେ ସାଂସଦମାନେ ପାରାଦ୍ୱୀପ-ହରିଦାସପୁର ରେଳ ଲାଇନରେ ପାସେଞ୍ଜର ସେବା ଆରମ୍ଭ କରିବା ଲାଗି ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ । ଏହି ସେବା ଆରମ୍ଭ ହେଲେ କେନ୍ଦ୍ରାପଡା ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ସାଂସଦମାନେ କହିଥିଲେ ଯେ, ଗତ ୭୫ବର୍ଷ ଧରି ରେଳପଥ ଓ ଏହାର ବିକାଶ କ୍ଷେତ୍ରରେ ଓଡିଶା ଅବହେଳିତ ହୋଇଆସିଛି । କେନ୍ଦ୍ରରେ ଯିଏବି ସରକାର କ୍ଷମତାକୁ ଆସୁଛନ୍ତି, ସେମାନେ ରେଳପଥ ସଂଯୋଗ ପ୍ରତି ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡିଶା ସରକାର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଏବଂ ପ୍ରକଳ୍ପର ୫୦ ପ୍ରତିଶତ ଖର୍ଚ୍ଚ ଯୋଗାଇ ଦେଉଛନ୍ତି । ମାଲ ପରିବହନ ତଥା ବାଣିଜ୍ୟିକ କାରବାର ପାଇଁ ପାରାଦ୍ୱୀପ-ହରିଦାସପୁର ରେଳ ଲାଇନ ଉନ୍ମୁକ୍ତ ଥିବା ବେଳେ ଯାତ୍ରୀ ସେବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଏହି ରେଳଲାଇନ ରେଳ ନେଟୱାର୍କ ସହିତ କେନ୍ଦ୍ରାପଡା ଜିଲ୍ଲା ଲୋକମାନଙ୍କୁ ସଂଯୁକ୍ତ କରୁଛି । ତେଣୁ ପାରାଦ୍ୱୀପ-ହରିଦାସପୁର ଲାଇନରେ ପାସେଞ୍ଜର ସେବା ଆରମ୍ଭ କରିବାକୁ ଆମେ ଅନୁରୋଧ ଜଣାଉଛୁ । ଏହା ଦ୍ୱାରା କେନ୍ଦ୍ରପଡାର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଓଡିଶାର ଲୋକମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ରେଳମନ୍ତ୍ରୀ ଏ ଦିଗରେ ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରୁଥିବା କଥା ସାଂସଦମାନେ ଆଲୋଚନା କାଳରେ ମନ୍ତ୍ରୀଙ୍କୁ ଜଣାଇଥିଲେ । ଆଲୋଚନା କାଳରେ ସାଂସଦ ସୁଲତା ଦେଓ, ମମତା ମହାନ୍ତ, ଅରୁଣ ପଟ୍ଟନାୟକ, ନିରଞ୍ଜନ ବିଶି, ସସ୍ମିତ ପାତ୍ର, ସୁଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

7 + thirteen =