ବିଜେପିରେ ମିଶିଲେ ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ସମ୍ବିତ୍‌ ତ୍ରିପାଠୀ

0 94

କଟକ: ପଦ୍ମ ଧରିଲେ ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ସମ୍ବିତ ତ୍ରିପାଠୀ । ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଏହି ପୂର୍ବତନ ପ୍ରାଶାସନିକ ଅଧିକାରୀ । କଟକ ଜିଲ୍ଲା ବଡମ୍ବାରେ ଦଳର ଯେଉଁ ସଂଗଠନ ଅଛି ତାହା ବହୁତ ସୁଦୃଢ ଅଛି । ତୃଣମୂଳ ସ୍ତରରେ ତଥା ପ୍ରତି ଗାଁ ଏବଂ ପ୍ରତି ପଞ୍ଚାୟତ ପ୍ରତି ବୁଥସ୍ତରରେ ବିଜେପି ସପକ୍ଷରେ ଜନମତ ଅଛି । ବିଜେପି ଜାତୀୟସ୍ତରର ଗୋଟିଏ ପାର୍ଟି । ତାର କିଛି ଶୃଙ୍ଖଳା ରହିଛି । ଯଦି ପାର୍ଟି ନିଷ୍ପତ୍ତି ନିଏ ମୁଁ ନିର୍ବାଚନ ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି ତା’ହେଲେ ମୁଁ ନିଶ୍ଚିତ ଲଢିବି ଏବଂ ନିର୍ବାଚନ ବୈତରଣୀ ଅକ୍ଲେଶରେ ପାର ହୋଇ ପାରିବି ବୋଲି ସେ ଦୃଢୋକ୍ତି କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବତନ ଆଇ ଆର୍‌ ଏସ୍‌ ଅଧିକାରୀ ଶ୍ରୀ ତ୍ରିପାଠୀ ୧୯୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗାଁ କୃଷ୍ଣଚନ୍ଦ୍ରପୁର ଗ୍ରାମ, ଗୋପପୁର ପଞ୍ଚାୟତ, ବଡମ୍ବା ବ୍ଲକ, କଟକ ଜିଲ୍ଲାରେ । ଭୁବନେଶ୍ୱର ଡିଏମ ସ୍କୁଲରେ ନିଜର ସ୍କୁଲ ଜୀବନ ଆରମ୍ଭ କରିଥିଲେ । ପାଠପଢା ସହ ବିଭିନ୍ନ କ୍ଷେତ୍ରରେ ନିପୁଣ ଥିଲେ । କ୍ରୀଡ଼ା, ଶିକ୍ଷା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଜଣେ ଆଦର୍ଶ ଛାତ୍ର ଥିଲେ । ସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ବକ୍ତୃତା ପ୍ରତିଯୋଗିତା ଓ କୁଇଜ୍‌ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ନିଜର ପରିଚୟ ତିଆରି କରିଥିଲେ ।
ସମ୍ବିତ ତ୍ରିପାଠୀ ମାତ୍ର ୨୨ ବର୍ଷ ବୟସରେ ୧୯୯୮ ମସିହା ବ୍ୟାଚର ଜଣେ ଆଇଆର୍‌ଏସ୍‌ ଅଧିକାରୀ ଭାବେ ସ୍ୱୀକୃତି ହାସଲ କରିଥିଲେ । ତାଙ୍କର ଅନେକ କ୍ଷେତ୍ରରେ ଅଭିଜ୍ଞତା ରହିଛି । କେନ୍ଦ୍ର ସରକାରଙ୍କ ୪ଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାର୍ଯ୍ୟ କରି ବ୍ୟାପକ ନୀତି ସମ୍ବନ୍ଧରେ କାର୍ଯ୍ୟ କରି ବିଶେଷ ଅଭିଜ୍ଞତା ରହିଛି । ସେହିପରି ଓଡ଼ିଶାର ରାଉରକେଲା, ସମ୍ବଲପୁର ଠାରୁ ଆରମ୍ଭ କରି ଭୁବନେଶ୍ୱର, କଟକ ପର୍ଯ୍ୟନ୍ତ ରାଜ୍ୟର ବଡ଼ ବଡ଼ କର୍ପୋରେଟ୍‌ ହାଉସ୍‌ ଓ ଠିକାଦାରଙ୍କ ଟିକସ ଚୋରିକୁ ବ୍ୟାପକ ଭାବେ ରୋକିବା ପାଇଁ ରଣନୀତି ଆପଣାଇଥିଲେ । ୨୦୦୭ ଏବଂ ୨୦୦୮ରେ ଲ’ ବଜେଟ୍‌ ପ୍ରସ୍ତୁତ କରିଥିବା ଟିମର ସଦସ୍ୟ ଥିଲେ । ବ୍ୟବସାୟ ଓ ଟିକସକୁ ସହଜ କରିବା ପାଇଁ ପ୍ରତ୍ୟକ୍ଷ ଟିକସ କୋଡ୍‌ ପ୍ରସ୍ତୁତ କରିଥିବା ଟିମରେ କାର୍ଯ୍ୟ କରିଥିଲେ । ସେହିପରି ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ସେ ଦେଶର ଦୁଇଟି ବୃହତ୍ତମ ବନ୍ଦର ଯଥା ପାରାଦୀପ ଓ କାଣ୍ଡଲାରେ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ । ଇରାନ ଗସ୍ତ କରି ଦେଶ ପାଇଁ ଚାହବାହାର ବନ୍ଦର ଉପରେ ଆଲୋଚନା କରିଥିଲେ ।
୨୦୧୪ରୁ ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ସେତେବେଳେ ଓଏସଡି ଏବଂ ପିଏସ୍‌ ଭାବରେ କାର୍ଯ୍ୟ କରିଥିଲେ । ୨୨ ବର୍ଷରୁ ଅଧିକ ସରକାରୀ ଚାକିରି କରିବା ପରେ ଇନକମ-ଟ୍ୟାକ୍ସ କମିଶନର ଭାବରେ କାର୍ଯ୍ୟ କରୁଥିବା ସମୟରେ ସମାଜସେବା କରିବା ପାଇଁ ସ୍ୱେଚ୍ଛାକୃତ ଅବସର ତଥା ଭିଆରଏସ୍‌ ନେଇଥିଲେ । ତାଙ୍କୁ ଯେତେବେଳେ ୨୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ । ସରକାରୀ ଚାକିରି ମଧ୍ୟ ୨୨ ବର୍ଷ କରିବା ପରେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଚାଷ କ୍ଷେତ୍ରରେ ଚାଷୀ ଭାଇ ମାନଙ୍କର ରୋଜଗାରକୁ ବଢାଇବା ପାଇଁ ନୂଆ ନୂଆ ପଦ୍ଧତିର ଚାଷ କରିବାର ପ୍ରଶିକ୍ଷଣ ଦେବା ସହ ମୋଦି ସରକାରଙ୍କ କୃଷକ ମାନଙ୍କ ପାଇଁ ହେଉଥିବା ଯୋଜନାର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − fifteen =