ବୌଦ୍ଧ: ଜଗତି, ତେଲିବନ୍ଧ ଓ କଣ୍ଟାମାଳ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ବାହାରି କରୋନା ପଜିଟିଭଙ୍କୁ ଚିକିତ୍ସାପାଇଁ ପୂର୍ବରୁ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ହରଭଙ୍ଗା ବ୍ଲକର ବୀରନରସିଂପୁର କେନ୍ଦ୍ରର ୨ଜଣ, ଆଡେଣିଗଡ କେନ୍ଦ୍ରର ୨୧ ଜଣ, ବାଣୀଭୂଷଣପୁର ସଙ୍ଗରୋଧ କେନ୍ଦ୍ରରୁ ୫ଜଣ ଏଭଳି ମୋଟ ୨୮ଜଣଙ୍କ ଦେହରୁ କରୋନା ପଜିଟିଭ ବାହାରିଥିଲା । ନୂତନ ଚିହ୍ନଟ କରୋନା ପଜିଟିଭଙ୍କୁ ଭୁବନେଶ୍ୱରର କୌଣସି କୋଭିଡ ହସପିଟାଲକୁ ପଠାନଯାଇ ବୌଦ୍ଧରେ ହିଁ ଚିକିତ୍ସା କରାଯିବ ବୋଲି ଜଣାପଡିଛି । ବୌଦ୍ଧଠାରେ ଥିବା ପୁରୁଣା ସବଜେଲ ମଧ୍ୟରେ ହୋଇଥିବା ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବାପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଚିକିତ୍ସା ଚାଲିଥିବା ସମୟରେ ଯଦି କୌଣସି ରୋଗୀ ଗୁରୁତର ଅବସ୍ଥାକୁ ଚାଲିଯାଆନ୍ତି ତେବେ ତାଙ୍କୁ ଭୁବନେଶ୍ୱର କୋଭିଡ ହସପିଟାଲକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ ପ୍ରକାଶ କରିଛନ୍ତି । ଶେଷଖବର ସୁଦ୍ଧା ୭ଜଣଙ୍କୁ ଭୁବନେଶ୍ୱର ପଠାଯାଇଥିବାବେଳେ ୨୧ଜଣ ବୌଦ୍ଧରେ ଚିକିତ୍ସିତ ହେବେ ।
ପ୍ରଥମଥର ପାଇଁ କରୋନା ପଜିଟିଭଙ୍କୁ ବୌଦ୍ଧରେ ହିଁ ଚିକିତ୍ସା କରାଯାଉଥିବାରୁ ପୁରୁଣା ଜେଲ ସାମ୍ନା ଜାତୀୟ ରାଜପଥ ନଂ ୫୭କୁ ନିୟମିତ ବ୍ୟବଧାନରେ ବିଶୋଧନ କରାଯିବାର ବ୍ୟବସ୍ଥା କରାଯିବାକୁ ଜନସାଧାରଣରେ ଦାବି ହେଉଛି । ରୋଗୀମାନଙ୍କ ସେବାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।