ଉଦ୍ଧାରପରେ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଥଇଥାନ

0 71

ବୌଦ୍ଧ,୧୨ା୫ : ଅପରେସନ ସଞ୍ଜିବନୀ ମାଧ୍ୟମରେ ରାଜ୍ୟ ବାହାରେ ନିର୍ଯ୍ୟାତନାର ଶିକାର ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଫଳରେ ସଫଳତାର ସହିତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିଥିବାବେଳେ ସେମାନଙ୍କୁ ଥଇଥାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାପାଳ ଶ୍ରୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ମୁତାବକ ଉଦ୍ଧାର କରାଯାଇଥିବା ସମସ୍ତ ଶ୍ରମିକଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ଶ୍ରୀସାହୁ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲେ । ଶ୍ରମିକମାନେ ପ୍ରଶାସନର ତତ୍ପରତା ଯୋଗୁଁ ସେମାନେ ଉଦ୍ଧାର ପାଇପାରିଥିବା ନେଇ ଭାବବିହ୍ୱଳ ହୋଇ କୃତଜ୍ଞତା ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରମିକମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ସେମାନେ ଅର୍ଥ ଲୋଭରେ ଆଉ ରାଜ୍ୟ ବାହାରକୁ ନଯାଇ କିପରି ସୁରକ୍ଷିତ ଭାବରେ ଜୀବନ ଜୀବିକା ନିର୍ବାହ କରିବେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଥଇଥାନ କରାଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରମିକମାନଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବାବେଳେ ସେମାନଙ୍କ ପାଠପଢା ବ୍ୟବସ୍ଥା କରାଇବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲା ରେଡକ୍ରସ ପାଣ୍ଠିରୁ ସମସ୍ତ ଶ୍ରମିକ ପରିବାରକୁ ତତ୍କାଳ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲା ଜରୂରୀକାଳୀନ ବିଭାଗ ପକ୍ଷରୁ ଏକ ହାଇଜେନିକ କିଟ୍‌ ସହ ଗୋଟିଏ ଲେଖାଏଁ ବାଲଟି ଓ ମଗ୍‌ ପ୍ରଦାନ କରାଯାଇଥିଲା । ସୋମବାର ଦିନ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଦ୍ୱାରା କଣ୍ଟାମାଳ ଚିକିତ୍ସାଳୟଠାରେ ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହିତ ପ୍ରତ୍ୟେକ ଶ୍ରମିକ ପରିବାରକୁ ଲେବର କାର୍ଡ ପ୍ରଦାନ କରାଯାଇ ମନେରେଗା ଓ ଅନ୍ୟାନ୍ୟ ଯୋଜନାରେ ସେମାନଙ୍କୁ କାମ ଦେଇ ଥଇଥାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗଣ ବିଭାଗ ପକ୍ଷରୁ ମାର୍କେଟିଂ ଇନସପେକ୍ଟରଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇ ଯେଉଁ ପରିବାରମାନେ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ଚାଉଳ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଗ୍ରାମାଞ୍ଚଳରେ ମାଇକ୍ରୋ ଫାଇନାନସ କମ୍ପାନୀମାନଙ୍କ ଦ୍ୱାରା ଶୋଷଣର ଶିକାର ହୋଇ ଶେଷରେ କାମଧନ୍ଦା ଅନ୍ୱେଷଣରେ ପରିବାରମାନେ ଗ୍ରାମ ଛାଡି ରାଜ୍ୟ ବାହାରକୁ ଚାଲି ଯାଉଥିବା ଓ ନିର୍ଯ୍ୟାତନାର ଶିକାର ହେଉଥିବା କାରଣରୁ ଏନେଇ ନେଇ ଗ୍ରାମରେ ସଚେତନତା ସଭା କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଜିଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ, ଜିଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ, ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × two =