ବୌଦ୍ଧଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ

0 72

ବୌଦ୍ଧ,୨୯ା୧୦ : ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଆଜି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ସମ୍ମୁଖରୁ ବାହାରିଥିଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି ଶୋଭାଯାତ୍ରାକୁ ସବୁଜପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବାପରେ ପୁନର୍ବାର ସଂଗ୍ରହାଳୟ ନିକଟରେ ପହଞ୍ଚିଥିଲା । ଏହି ଶୋଭଯାତ୍ରାରେ ଜିଲାପାଳ ଶ୍ରୀ ସାହୁଙ୍କ ସମେତ ଜିଲାସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ନେହେରୁ ଯୁବକେନ୍ଦ୍ରର ସଭ୍ୟ ସଭ୍ୟା, ସ୍ୱଚ୍ଛସାଥୀ, ପରିମଳ କର୍ମଚାରୀମାନେ ସାମିଲ ହୋଇଥିଲେ । ସଂଗ୍ରହାଳୟ ସମ୍ମୁଖରେ ବିପର୍ଯ୍ୟୟକୁ ସୁଚାରୁରୂପେ ପରିଚାଳନା କରିବାପାଇଁ ଏକ ସାମୁହିକ ଶପଥପାଠ ଅନୁଷ୍ଠିତ ହୋଇଥିଲା । ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଜ୍ରପାତର ଭୟାବହତା ଓ ସତର୍କତା ସଂପର୍କିତ ଏକ ନାଟକ ଗୋପାଳକୃଷ୍ଣ ବେହେରାଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା । ପରେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା ପାଇଁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ବିଭିନ୍ନ କୌଶଳ ମକଡ୍ରିଲ ଜରିଆରେ ପ୍ରଦର୍ଶିତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଉଚ୍ଚବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବର୍ଷା ପ୍ରିୟଦର୍ଶନୀ ଶତପଥୀ ପ୍ରଥମ, ଅର୍ପିତା ପ୍ରିୟଦର୍ଶନୀ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ନମ୍ରତା ବଡମାଳୀ ତୃତୀୟ ଏବଂ ପ୍ରବନ୍ଧ ଲିଖନରେ ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ଇତିଶ୍ରୀ ମହାକୁଡ ପ୍ରଥମ, ସୌମ୍ୟାରାଣୀ ପଲିଆ ତୃତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅପର୍ଣ୍ଣା ମହାପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରି ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଜିଲାପାଳ ଶ୍ରୀଯୁକ୍ତ ସାହୁ ବାତ୍ୟାର ଭୟାବହତା, ବିପର୍ଯ୍ୟୟ ପରିଚାଳନାରେ ଆଧୁନିକ ଜ୍ଞାନ କୌଶଳର ଉପଯୋଗ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ଏବଂ ନିଜେ ସଚେତନ ରହିବା ସହିତ ଅନ୍ୟମାନଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲା ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ଝା ପରିଚାଳନା କରିଥିବାବେଳେ ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

one + ten =