ଫରକ ପଡୁନି ଲକ୍‌ଡାଉନ୍‌, କଟକଣା ମାନୁନାହାନ୍ତି ଅମାନିଆ !

0 1,785

ବୌଦ୍ଧ/ବାଉଁଶୁଣୀ,୧୦/୫- ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ ମାନୁନାହାନ୍ତି ସାମାଜିକ ଦୂରତା କି ପିନ୍ଧୁନାହାନ୍ତି ମାସ୍କ । ବାରମ୍ବାର ପ୍ରଶାସନ ସଚେତନ ହେବାପାଇଁ ଘୋଷଣା କରୁଥିଲେ ମଧ୍ୟ ଲୋକଙ୍କର ଭିଡ଼ କମୁନାହିଁ । ଏହା ସହିତ ଜିଲ୍ଲାପାଳ ଅତି ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ବାଉଁଶୁଣୀ ଅଞ୍ଚଳରେ ସମସ୍ତ ଦୋକାନବଜାର ଖୋଲି ଲୋକଙ୍କ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି । ଏହା ସହିତ ବାଉଁଶୁଣୀ ଛକର ସମସ୍ତ ଚା’ ଦୋକାନ , ହୋଟେଲ, ଢ଼ାବା, କପଡା ଦୋକାନ , ଫେନ୍ସି ଦୋକାନ ସମେତ ସମସ୍ତ କିସମର ଦୋକାନ ଖୋଲୁଛନ୍ତି । କଲେଜ ଛକ ନିକଟରେ ଥିବା ଏକ ଦୋକାନ ୨୪ ଘଣ୍ଟା ଖୋଲା ରହୁଥିବା ଦେଖିବାକୁ ମିଳୁଛି । ଆଜିପର୍ଯ୍ୟନ୍ତ ବାଉଁଶୁଣୀ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଦେଖାନାହିଁ । ଗତ ଦୁଇ ଦିନ ତଳେ ବାଉଁଶୁଣୀ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଚାରଗାଡି ବୁଲି ଲୋକଙ୍କୁ ସଚେତନ କରାଇଛି ,ହେଲେ ବାଉଁଶୁଣୀ ଅଞ୍ଚଳରେ ଲୋକମାନେ ସଚେତନ ହେବା ପରିବର୍ତ୍ତେ ଓଲଟା କାମ କରୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ଅଁଳାପାଲି ଗ୍ରାମରେ ଗୋଟିଏ ଦିନରେ ୩୨ ଜଣ କରୋନା ଆକ୍ରାନ୍ତ ହୋଇଥିବାରୁ ଗତ ୮ ତାରିଖ ଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ହେଲେ ସେହି ଗ୍ରାମରୁ ପ୍ରତ୍ୟେକଦିନ ଲୋକେ ବାଉଁଶୁଣୀ ଆସି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ତୁରନ୍ତ ଗୋଷ୍ଠୀ ସଂକ୍ରମଣକୁ ରୋକିବାପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଲୋକଙ୍କ ଭିଡ଼ ଉପରେ କଟକଣା ଜାରି କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

18 − 7 =